Odisha Link
Bridging the Missing Links in Odisha

ଖୋଲିଲା କଟା ମୁଣ୍ଡ ରହସ୍ୟ

ଭୁବନେଶ୍ୱର: ଖୋଲିଲା ଚନ୍ଦକା ଦାସପୁରରେ ମହିଳାଙ୍କ କଟାମୁଣ୍ଡ ଘଟଣାର ରହସ୍ୟ। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ହତ୍ୟାକାଣ୍ଡ ରହସ୍ୟର ଖୁଲାସା କରିଛନ୍ତି। ଅଭିଯୁକ୍ତମାନେ କେମିତି ହତ୍ୟାକାଣ୍ଡ କରିଥିଲେ ତାହାର ଖୁଲାସା କରିଛନ୍ତି କମିଶନର ଶ୍ରୀ ଷଡ଼ଙ୍ଗୀ।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଥିଲା। ମୃତ ମହିଳାଙ୍କ ପରିଚୟ ଜାଣିବା ଆମ ପାଇଁ ଚାଲେଞ୍ଜ ଥିଲା। ଗତ ୯ ତାରିଖ ଅପରାହ୍ନରେ ଆମକୁ ନିର୍ଦ୍ଧିଷ୍ଟ ତଥ୍ୟ ମିଳିଥିଲା। ମୃତ ମହିଳା ଜଣକ ହେଉଛନ୍ତି ପୁଷ୍ପଲତା ରାଉଳ। ତାଙ୍କର ବୟସ ୨୮ ବର୍ଷ। ପୁଷ୍ପଲତାଙ୍କ ଘର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରିକୁଟି ବସ୍ତିରେ।

ପୁଷ୍ପଲତା ଅଭିଯୁକ୍ତ ସଞ୍ଜୟଙ୍କ ଘରେ ଭଡ଼ା ନେଇ ରହୁଥିଲେ। ମାସେ ହେଲା ସଞ୍ଜୟଙ୍କ ସହ ପୁଷ୍ପଲତା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ। କିଛି ଦିନ ତଳେ ପ୍ରୀତିରଞ୍ଜନଙ୍କୁ ଆମୋଫୋଇରେ ବାହା ହୋଇଥିଲେ। ଘରେ ପ୍ରୀତିରଞ୍ଜନଙ୍କୁ ଛାଡ଼ି ସଞ୍ଜୟ ସହ ଆସି ପୁଷ୍ପଲତା ରହିଥିଲେ। ଘଟଣାକୁ ନେଇ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ପରେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ଘରୁ ରାତିରେ ସହଯୋଗୀ ସହ ଏକ ବୋଲେରୋରେ ଶବ ନେଇଥିଲେ। ଦାସପୁରରେ ମୁଣ୍ଡକାଟି ଫୋଫାଡ଼ି ଦେଇ ଆସିଥିଲେ। ହତ୍ୟାକାଣ୍ଡ ଘଟଣା ପରେ ଉଭୟ ଦଶପଲ୍ଲା ପଳାଇଯାଇଥିଲେ।

ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କଟାମୁଣ୍ଡ ଜବତ କରାଯାଇଛି। ଆଜି ପୁଷ୍ପଲତାଙ୍କ କଟାମୁଣ୍ଡ ମିଳିଛି। ଭରତପୁର ଜଙ୍ଗଲରୁ ଉକ୍ତ କଟା ମୁଣ୍ଡକୁ ପୁଲିସ ଠାବ କରିଥିଲା। ୨ ଅଭିଯୁକ୍ତ ମହିଳାଙ୍କ ମୁଣ୍ଡକାଟି ୨ କିମି ଦୂର ଭରତପୁର ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସୂଚନା ଅନୁଯାୟୀ, ଗତ ୪ତାରିଖ ଦିନ ଭୁବନେଶ୍ୱର ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୁଲିସ ଖବର ଦେଇଥିଲା। ଜଣେ ଆଡିସିନାଲ୍‌ ଏସ୍‌ପି ରାଙ୍କର ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା। ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୁଲିସ ଘୋଷଣା କରିଥିଲା।

Comments are closed.