Odisha Link
Bridging the Missing Links in Odisha

ପ୍ରେମ ସପ୍ତାହ ପାଇଁ ନିଷିଦ୍ଧାଞ୍ଚଳ ମାନୁନାହାନ୍ତି ପ୍ରେମୀଯୁଗଳ

ଭୁବନେଶ୍ବର: ଫେବୃଆରୀ ୭ରୁ ଆରମ୍ଭ ହେଇଛି ପ୍ରେମ ସପ୍ତାହ। ଏହି ରଙ୍ଗିନ୍‌ ସପ୍ତାହକୁ ପ୍ରେମୀଯୁଗଳମାନେ ବଡ଼ ମଉଜ ମସ୍ତିରେ ପାଳନ କରୁଛନ୍ତି। କେଉଁଠି ନିଜର ପ୍ରେମ ପାଇଁ ପ୍ରେମି ଯୁଗଳ ପାର୍କ ଯାଉଛନ୍ତି ତ ପୁଣି କେଉଁଠି ବଡ଼ବଡ଼ ମଲ୍‌,ଓ ରେସ୍ତୋରାଁରେ ଯାଇ ପ୍ରେମ ସପ୍ତାହକୁ ବଡ଼ ଆଡ଼ମ୍ବରର ସହିତ ପାଳନ କରୁଛନ୍ତି। ତେବେ କିଛି ଅମାନିଆ ପ୍ରେମୀଯୁଗଳ ଭଲମନ୍ଦ ସ୍ଥାନ ବାଛବିଚାର ନ କରି ରାଜଧାନୀ ଭୁବନେଶ୍ବର ସହର ନିକଟବର୍ତ୍ତୀ ଜଙ୍ଗଲକୁ ବି ମାଡ଼ି ଯାଉଛନ୍ତି।

ଏମିତିକି ସେମାନେ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହୋଇଥିବା ସ୍ଥାନକୁ ଯିବାକୁ ପଛାଉ ନାହାନ୍ତି। ଏହାଦ୍ବାରା ସେମାନେ ନିଜ ଉପରକୁ ବିପଦକୁ ଟାଣି ଆଣୁଛନ୍ତି। ଏବେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଝୁମୁକା ଡ୍ୟାମ୍‌ ଅଞ୍ଚଳରେ ହେଉଥିବା ପ୍ରେମୀଯୁଗଳଙ୍କ ଭିଡ଼ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରାଜଧାନୀରେ ଅସାମାଜିକ ତତ୍ତ୍ବମାନଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଛିନ୍‌ତାଇଠାରୁ ଆରମ୍ଭ କରି ଡକାୟତି ଘଟଣାମାନ ‌ପୁଲିସ ପାଇଁ ସମସ୍ୟା ସୃଷ୍ଟି କରିଛି।

ଚନ୍ଦକା ଥାନା ଅଞ୍ଚଳରରେ ଜଣେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଏଯାଏ ମନରୁ ଲିଭିନାହିଁ। ଏଭଳି ସ୍ଥିତିରେ ନିଷିଦ୍ଧାଞ୍ଚଳ ଝୁମୁକାରେ ପ୍ରେମୀଯୁଗଳଙ୍କ ଭିଡ଼ କେତେବେଳେ କିଛି ଅଘଟଣ ଘଟାଇବା ଆଶଙ୍କା ରହିଛି। ମାତ୍ର ସବୁ ଜାଣି ବି ବହୁ ଅମାନିଆ ପ୍ରେମୀଯୁଗଳ ସେହି ସ୍ଥାନକୁ ଚାଲି ଯାଉଛନ୍ତି। ଜଙ୍ଗଲର ନିଛାଟିଆ ସ୍ଥାନରେ ଗପସପ କରିବା ସହ ସେଲ୍‌ଫି ନେଉଛନ୍ତି।

ପୂର୍ବରୁ ଏଠାରେ ଅନେକ ଅଘଟଣ ଘଟିଥିବା ସାମ୍ମନାକୁ ଆସିଛି। ପ୍ରେମୀଯୁଗଳଙ୍କୁ ଏକୁଟିଆ ପାଇ ଅସାମାଜିକ ଯୁବକମାନେ ହଇରାଣ କରିଥିବାର ଉଦାହରଣ ମଧ୍ୟ ରହିଛି। ଏହି ଡ୍ୟାମ୍‌ ନିକଟକୁ ଲାଗି ଗାଁ’ଗଣ୍ଡା ନ ଥିବାରୁ ଦୁର୍ବୃତ୍ତମାନଙ୍କୁ ସୁହାଇଥାଏ।

ମେଣ୍ଢାଶାଳ ଫାଣ୍ଡି ଓ ଚନ୍ଦକା ଥାନା ବି ବହୁ ଦୂରରେ। ତେଣୁ ଏବେ ସେଠାକୁ ଯାଉଥିବା ପ୍ରେମୀଯୁଗଳଙ୍କ ପ୍ରତି ଗୋଡ଼େ ଗୋଡ଼େ ବିପଦ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଲିସ ଠିକଣା ସମୟରେ ପଦକ୍ଷେପ ନ ନେଲେ, ବଡ଼ଧରଣର ଅଘଟଣ ଘଟିବା ଆଶଙ୍କା ରହିଛି।

Comments are closed.