କୋଟିଆ ମାମଲା: ଆନ୍ଧ୍ରକୁ ନୋଟିସ କଲେ ସୁପ୍ରିମ କୋର୍ଟ
![](https://www.odishalink.com/wp-content/uploads/2021/02/Kotia.jpg)
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହୋଇଛି। ଓଡ଼ିଶାର ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦାଖଲ ପାଇଁ ଆନ୍ଧ୍ରକୁ ନୋଟିସ ଦିଆଯାଇଛି । ଆସନ୍ତା ୧୯ ବା ଶୁକ୍ରବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ପ୍ରକାଶ ଯେ, ଓଡ଼ିଶା ଓ ଆନ୍ଧ୍ର ସିମାନ୍ତ କୋଟିଆରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଥିଲା। ଆଜି ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟ୍ୟାଳୟ। ଜଷ୍ଟିସ୍ ଏ ଏନ୍ ଖାନଵଲିକର ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ।
କୋଟିଆକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ଆଜି ଖଣ୍ଡପୀଠ ଏହା ଉପରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ସାରା ଓଡ଼ିଶାର ନଜର ରହିଛି। ଆଜି ଏହି ମାମଲାର ତ୍ବରିତ ଶୁଣାଣି କରିବା ପାଇଁ ଓଡିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାର ପତି ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଠିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନ୍ଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ। ଶ୍ରୀ ସିଂହ ଯୁକ୍ତି ଉପସ୍ଥାପନ କରି କହିଥିଲେ, କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟ ୨୦୦୬ରେ ନିର୍ଦେଶ ଦେଇଥିଲେ।
ଆନ୍ଧ୍ର ସରକାର ଏହାକୁ ପାଳନ କରିନାହାନ୍ତି। ନିର୍ଦେଶକୁ ଉଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ସୀମାରେ ଦର୍ଶାଇ ପଞ୍ଚାୟତ ନିର୍ବାଚନ କରାଉଛି। ଆନ୍ଧ୍ରର ଏଭଳି ଏକତରଫା ଆଚରଣ ଦ୍ବାରା ଗୁରୁତର ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ଅତଏବ ଏହି ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରାଯାଉ। ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ। ବରିଷ୍ଠ ଆଇନଜୀବୀ ବିକାଶ ସିଂହଙ୍କୁ ମାମଲାର ପରିଚାଳନା ସମୟରେ ସହଯୋଗ କରିଥିଲେ ସୁପ୍ରିମ କୋର୍ଟର ଆଡଭୋକେଟ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ର।
Comments are closed.