କୋଟିଆରେ ଆନ୍ଧ୍ର ନିର୍ବାଚନ: ଗାଡ଼ିରେ ବୁହା ହେଲେ ଭୋଟର, ମହିଳାଙ୍କ ଲମ୍ବା ଲାଇନ୍

କୋରାପୁଟ: ଫେଲ୍ ମାରିଲା ସମସ୍ତ ଉଦ୍ୟମ। ଶେଷରେ କୋଟିଆରେ ବାଜି ମାରିଲା ଆନ୍ଧ୍ର ପ୍ରଦେଶ। ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ନିର୍ବାଚନ କଲେ ଆନ୍ଧ୍ର ସରକାର। ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କଠୁ ଆରମ୍ଭ କରି ରାଜ୍ୟ ସରକାର ଯେଉଁ ସମସ୍ତ ଉଦ୍ୟମ କରିଥିଲେ ସବୁ ଫେଲ୍ ମାରିଛି।
ଆଜି ସକାଳ ସାଢ଼େ ୬ଟାରୁ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ୍ କୋଟିଆ ଅଞ୍ଚଳରେ ଆନ୍ଧ୍ର ନିର୍ବାଚନ ଆରମ୍ଭ ହୋଇଛି। ଫାଟୁସିନେରି ଅଞ୍ଚଳ ନକ୍ସଲ ପ୍ରବଣ ହୋଇଥିବାରୁ ସେହି ସ୍ଥାନରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନିର୍ବାଚନ ଆୟୋଜିତ ହୋଇଛି। ଏଥିସହିତ ଆନ୍ଧ୍ର ଅଧିକାରୀ ଓ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ନିର୍ବାଚନ ଚାଲିଛି। ଏପରିକି ଗାଡ଼ିରେ ଭୋଟରଙ୍କୁ ଭୋଟ ଦେବା ପାଇଁ ଗାଡ଼ିରେ ବୁହା ହୋଇ ଅଣାଯାଇଥିବାର ଫଟୋ ଏବେ ଘୁରି ବୁଲୁଛି।
ସୂଚନାଯୋଗ୍ୟ, ଗଞ୍ଜେଇଭଦ୍ରା (ଗଞ୍ଜେଇପଦର) ଓ ପାଗୁଲଚେନୁରୁ (ଫଗୁଣସିନେରି) ରେ ଜଣେ ଲେଖାଏଁ ସରପଞ୍ଚ ପ୍ରାର୍ଥୀ ଥିବାରୁ ସେଠାରେ ପ୍ରର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ପାଟୁଚେନୁରୁ (ଫାଟୁସିନେରି) ରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ଥିବାରୁ ସେଠାରେ ଆଜି ଆନ୍ଧ୍ର ପକ୍ଷରୁ ନିର୍ବାଚନ କରାଯାଇଛି।
ଆନ୍ଧ୍ର ପକ୍ଷରୁ ଗଠିତ ପାଟୁଚେନୁରୁ ପଞ୍ଚାୟତ ଅଧିନରେ ଡୋଳିଆମ୍ବ, ମାଡ଼କାର, ବର୍ଣ୍ଣାପାଡ଼ୁ, ଫାଟୁସିନେରି ଓ କନାଦୋରା ଗ୍ରାମ ସାମିଲ କରିଥିବାବେଳେ ଏଠାରେ ୧୦୨୫ ଜଣଙ୍କ ନାମ ଆନ୍ଧ୍ର ଭୋଟର ତାଳିକାରେ ପଞ୍ଜିକୃତ ହୋଇଛି। ସେମାନଙ୍କ ମଧ୍ୟରେ ମହିଳା ଭୋଟର ୫୪୦ ଥିବାବେଳେ ପୁରୁଷ ଭୋଟର ୪୮୫ ଜଣ ଅଛନ୍ତି।
Comments are closed.