Odisha Link
Bridging the Missing Links in Odisha

ସବୁ କାର୍ଯ୍ୟ ଦିବସରେ ଅଫିସ ଆସିବେ କେନ୍ଦ୍ର ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବେ ସବୁ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଏନେଇ ଶ୍ରମ ମନ୍ତ୍ରାଳୟ କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି। ତେବେ କେବଳ କଣ୍ଟନମେଣ୍ଟ ଜୋନରେ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯିବ। ରାଜଧାନୀ ଦିଲ୍ଲୀ ସମେତ ଦେଶରେ କରୋନା ମାମଲା ହ୍ରାସ ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାର ଗତ ମେ ମାସରୁ ଉପ ସଚିବ ଓ ତାଠୁ ତଳ ପାହ୍ୟାର ୫୦ ପ୍ରତିଶତ ଅଧିକାରୀଙ୍କୁ ନେଇ ନିଜ କାର୍ଯ୍ୟାଳୟରେ କାମ କରିବା ପାଇଁ କହିଥିଲେ। ଶନିବାର ବିଳମ୍ବିତ ରାତ୍ରରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ସମସ୍ତ ସରକାରୀ କର୍ମଚାରୀ ସବୁ କାର୍ଯ୍ୟଦିବସରେ ଅଫିସ୍ ଯିବେ। କୌଣସି ଶ୍ରେଣୀର କର୍ମଚାରୀଙ୍କ ପାଇଁ ନିୟମ କୋହଳ ହେବ ନାହିଁ। ତେବେ ଆଗାମୀ ନିର୍ଦ୍ଦେଶ ଯାଏଁ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ରହିବ।

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଯେଉଁ ଅଧିକାରୀ ଓ କର୍ମଚାରୀ କଣ୍ଟେନମେଣ୍ଟ ଜୋନରେ ରହୁଛନ୍ତି ସେମାନେ ଘରୁ କାମ କରିବେ। ଫୋନରେ ସେମାନେ ଅଫିସ କଥା ବୁଝିବେ। ବୈଠକ ମଧ୍ୟ ଭିଡିଓ କନଫରେନ୍ସିରେ ଚାଲିବ। ସମସ୍ତ ବିଭାଗୀୟ କ୍ୟାଣ୍ଟିନ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି।

Comments are closed.