ସରିଲା ସର୍ବଦଳୀୟ ବୈଠକ, ଏଥର ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ବର: କାଲିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବାଚସ୍ପତି ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି କି ପୂର୍ବ ଭଳି ବିଧାନସଭା ଗୃହରେ ବିଧାୟକ ଓ ମନ୍ତ୍ରୀ ମାନେ ନିଜ ନିଜ ସିଟରେ ଠିଆ ହୋଇ କିମ୍ବା ବସିବା ପାଇଁ ଯେଉଁ ଅନୂୁମତି ଦିଆଯାଇଥିଲା ତାହା ବଳବତ୍ତର ରହିବ।
ମାନ୍ୟବର ରାଜ୍ୟପାଳ ତାଙ୍କ ଅଭିଭାଷଣ ଠିଆ ହୋଇ କିମ୍ବା ବସିକରି ଦେଇପାରିବେ ବୋଲି ବାଚସ୍ପତି କହିଛନ୍ତି। ଏହାସହ ପ୍ରଶ୍ନକାଳ ଓ ତାରକା ଚିହ୍ନିତ ପ୍ରଶ୍ନ ଉପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିବ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି। ଦୈନିକ ଦୁଇଟି ଅଧିବେଶନରେ ଚାଲିବ ବିଧାନସଭା। ଦିନ ସାଢେ ୧୦ ରୁ ସାଢେ ଗୋଟାଏ ଯାଏଁ ପ୍ରଥମ ଅଧିବେଶନ ଓ ଦିନ ୪ ଟାରୁ ୬ ଟା ଯାଏଁ ଚାଲିବ ଦ୍ୱିତୀୟ ଅଧିବେଶନ। ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ଅଧିବେଶନ ସଂନ୍ଧ୍ୟା ୭ ଟା ଯାଏ ଚାଲିବ।
ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୮ରୁ ଆରମ୍ଭ ହୋଇଛି ଫେବୃଆରୀ ୨୮ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ମାର୍ଚ୍ଚ ୧୧ ରୁ ୩୧ ତାରିଖରେ ଶେଷ କରାଯିବ। ଫେବୃଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ। ତେବେ ବଜେଟ୍ ଅଧିବେଶନ କାଳରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏଥିପାଇଁ ଆଜି ୩ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ।
ଆଜି ଅପରାହ୍ନ ସାଢେ ୫ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିବ। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ ବସିବ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସ ଭବନରେ ଏହି ବୈଠକ ବସିବ। ସେହିଭଳି ବଜେଟ୍ ଅଧିବେଶନକୁ ନେଇ କଂଗ୍ରେସ ବିଧାୟକ ଦଳ ମଧ୍ୟ ବୈଠକର ଆୟୋଜନ କରିଛନ୍ତି। ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳଙ୍କର ବୈଠକ ଅନୁଷ୍ଠିତ ହେବ।
Comments are closed.