୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଦିଗରେ ଅବସ୍ଥିତ ରହିଛି। ଅନ୍ୟ ପକ୍ଷରେ ଦକ୍ଷିଣ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆଖପାଖ ଅଞ୍ଚଳରେ ସମୁଦ୍ରପତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଦୁର୍ବଳ ହୋଇ ପଡ଼ିଛି।
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଜପତି ଏବଂ ବଲାଙ୍ଗୀର ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ତେବେ, ଏହି ସମୟ ମଧ୍ୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଜପତି, ବଲାଙ୍ଗୀର, ଗଞ୍ଜାମ ଏବଂ ସୋନପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହଥିବାରୁ ଏହି ୧୧ଟ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ, ଅପରାହ୍ନ କିମ୍ବା ସନ୍ଧ୍ୟା ବେଳକୁ ଆକାଶ ଆଂଶିକ ମେଘାଚ୍ଛନ୍ନ ହେବାର ସମ୍ଭାବନା ରହିଛି ଏବଂ ବଜ୍ରପାତ ସହ ଖାଲକା ବର୍ଷା ମଧ୍ୟ ହୋଇପାରେ। ସେହିପରି ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୩ ଓ ୨୦ ଡିଗ୍ରି ହେବାର ସମ୍ଭାବନା ରହିଛି ବୋଲି ଜାରି ସତର୍କ ସୂଚନାରେ କହିଛି ପାଣିପାଗ କେନ୍ଦ୍ର।
Comments are closed.