ବଡ଼ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ବିକ୍ରି କଲେ ଦମ୍ପତି

ବିଜୟୱାଡା: ବଡ଼ ଝିଅ ଚିକିତ୍ସା ପାଇଁ ସାନ ଝିଅକୁ ବିକ୍ରି କଲେ ବାପା ମା । ଏପରି ଅଘଟଣ ଘଟଣାଟି ଆନ୍ଧ୍ର ପ୍ରଦେଶର ନେଲୋରରେ ଘଟିଛି। ଉଭୟ ଦମ୍ପତ୍ତି ଦିନ ମଜୁରିଆ ଭାବରେ ନେଲୋରରେ କାମ କରନ୍ତି ।
ବଡ଼ ଝିଅ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଥିବାରୁ ତା’ର ଚିକିତ୍ସା ପାଇଁ ସାନ ଝିଅକୁ ସେମାନେ ୧୦ ହଜାର ଟଙ୍କାରେ ଜଣେ ୪୬ ବର୍ଷୀୟ ଚିନ୍ନା ସୁବାଇଙ୍କୁ ବିକ୍ରି କରି ଦେଇଥିଲେ।
ପ୍ରକାଶ ଯେ, ସୁବାଇ ଦମ୍ପତିଙ୍କ ସାନ ଝିଅକୁ ବିବାହ କରିବାକୁ ପୂର୍ବରୁ ମଧ୍ୟ ଏକାଧିକ ଥର ପ୍ରସ୍ତାବ ଦେଇଥିଲେ। ଦମ୍ପତି ଏହାକୁ ମନା କରିଥିଲେ ହେଁ ବଡ଼ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ।
ବୁଧବାର ଦିନ ସୁବାଇ ଝିଅଟିକୁ ବିବାହ କରିବା ପରେ ଦାମପୁର ଠାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲି ଆସିଥିଲେ। ସେ ଝିଅଟିକୁ ସାଙ୍ଗରେ ନେଉଥିବା ବେଳେ ସେ କାନ୍ଦିବା ସହ ଚିତ୍କାର କରିଥିଲେ। ଏହା ଶୁଣି ପଡ଼ୋଶୀ ଲୋକ ଦାମପୁର ଯାଇ ପୂରା ଘଟଣାର ଯାଞ୍ଚ କରିଥିଲେ।
ଶେଷରେ ଲୋକମାନେ ଏକାଠି ହୋଇ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ। ସରପଞ୍ଚ ସବୁ ଶୁଣିବା ପରେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ଶିଶୁ ବିଭାଗର ଅଧିକାରୀଙ୍କୁ ଧରି ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲା। ପୁଲିସ୍ ମାମଲା ରୁଜୁ କରି ସୁବାଇଙ୍କୁ ପଚରାଉଚରା କରୁଛି।
Comments are closed.