କନ୍ୟା ଅନ୍ମୋଲ ହୈ ପକ୍ଷରୁ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର
![](https://www.odishalink.com/wp-content/uploads/2021/03/Kania-Anmol-is-the-third-recipient-of-the-third-round-touch-award.jpg)
ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ସଙ୍ଗଠନ କନ୍ୟା ଅନ୍ମୋଲ ହୈ (କେଏଏଚ୍ ) ପକ୍ଷରୁ ରବିବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର ପ୍ରଦାନ କରାଯାଇଛି।
ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ କଳାକାର ଇଶା ବେବର୍ତା, ପ୍ରଖ୍ୟାତ ଲେଖିକା ଡଃ. ମନୋରମା ବିଶ୍ୱାଳ ମହାପାତ୍ର, ପଦ୍ମଶ୍ରୀ ସ୍ଥପତି ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର, ପ୍ରଖ୍ୟାତ ନାଟ୍ୟ କଳାକାର ସଂଗ୍ରାମ ମହାରଣାଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର ୨୦୨୧ରେ ସମ୍ମାନିତ କରାଯାଇଛି।
ଏହି ଅବସରରେ ଆଙ୍କର ତପସ୍ବିନୀ ପଟ୍ଟନାୟକ ଏବଂ ସାମ୍ବାଦିକ ରାମଜୀବନ ଗୋଚ୍ଛାୟତଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସ୍ଥପତି ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବାଦର ଡିଜିଏମ୍ ଶ୍ରୀଯୁକ୍ତ ଗୌତମବୁଦ୍ଧ ଦାସ, ମୁଖ୍ୟ ବକ୍ତା ଭାବେ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଡଃ. ପବିତ୍ର କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ପଦ୍ମଶୀ ରଘୁନାଥ ମହାପାତ୍ର କହିଛନ୍ତି, କନ୍ୟା ଅନମୋଲ୍ ହୈ ପୂଜ୍ୟପୂଜାର ଏକ ସ୍ବତନ୍ତ୍ର ପ୍ଲାଟଫର୍ମ। କଠିନ ପରିଶ୍ରମ, ଏକାଗ୍ରତା ଏବଂ ଦୃଢ ମନୋବଳ ଦ୍ୱାରା ଆଗକୁ ବଢିବା ଲାଗି ଏହା ବ୍ୟକ୍ତିବିଶେଷଙ୍କୁ ପ୍ରେରଣା ଦେବାରେ ସହାୟକ ହେବ।
ନିଜର କାର୍ଯ୍ୟ ସମ୍ପାଦନରେ ନିଷ୍ଠା ଏବଂ ସାଧୁତା ପ୍ରଦର୍ଶନ କରିଥିବାବ୍ୟକ୍ତି ବିଶେଷଙ୍କ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କେଏଏଚ୍ର ଜାତୀୟ ଆବାହକ ତଥା ରୋଟାରିୟନ ଶ୍ରୀଯୁକ୍ତ ସରୋଜ ଦାଶ ପ୍ରକାଶ କରିଛନ୍ତି।
ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ କାମ କରୁଥିବା ଅଗ୍ରଣୀ ସାମାଜିକ ସଂଗଠନ କନ୍ୟା ଅନମୋଲ ହୈ (କେଏଏଚ୍) ପ୍ରେରଣାଦାୟୀ କାମ କରି ପ୍ରତିଷ୍ଠା ଅର୍ଜନ କରିଥିବା ମହିଳାମାନଙ୍କୁ ସମ୍ମାନିତ କରିବାକୁ ଏହି ସୃଜନଶୀଳ କାର୍ଯ୍ୟକ୍ରମ ହାତକୁ ନେଇଛି।
ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ପିଢ଼ି ପରେ ପଢ଼ି ଝିଅ ଏବଂ ମହିଳାମାନଙ୍କୁ ବିଭିନ୍ନ ପେସାରେ ଉତ୍କର୍ଷ ହାସଲ କରିଥିବା, ସାମାଜିକ ସୁଧାର ଆଣି ବ୍ୟକ୍ତିଗତ ଜୀବନରେ ଅନ୍ୟ ପାଇଁ ଉଦାହରଣ ପାଲଟିବା ଏବଂ କଠୋର ଆହ୍ବାନ ତଥା ବାଧାକୁ ଅତିକ୍ରମ କରିବାକୁ ଦୃଢ଼ମନା ଲାଗି ପ୍ରେରଣା ଯୋଗାଇଥିବା କିମ୍ବଦନ୍ତୀ ମହିଳାଙ୍କ ଜୀବନ, କାର୍ଯ୍ୟଧାରା ଓ ଅବଦାନକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ଚରଣ ସ୍ପର୍ଶ ନାମରେ ନାମିତ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
କାର୍ଯ୍ୟକ୍ରମ ଅବସରରେ ପ୍ରତିଷ୍ଠାତା ସସ୍ମିତା ଦାଶ, ସହ ଅଧ୍ୟକ୍ଷ ଅଂଶୁ ତ୍ରିପାଠୀ, ସଭାପତି ଅର୍ଚ୍ଚନା ପାଣିଗ୍ରାହୀ, ଦେବସ୍ମିତା ଦାସ, ମଧୁସ୍ମିତା ନାୟକ, ରାଜଲକ୍ଷ୍ମୀ ନନ୍ଦ, ଲିପୁନ ମହାରଣା, ସୌମ୍ୟ ବେହେରା, ଆକାଶ ଓ ଜୟ ସାମନ୍ତ ଏହି ଅବସରରେ ଉପସ୍ଥିତ ଥିଲେ ।
Comments are closed.