ଓଡ଼ିଶାକୁ ଇସ୍ପାତ୍ର ପେଣ୍ଠସ୍ଥଳିରେ ପରିଣତ କରିବା ଉପରେ ଆଲୋଚନା: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତଲ ଏବଂ ସିଇଓ ଆଦିତ୍ୟ ମିତଲଙ୍କ ସହ ଆୟୋଜିତ ଏକ ବୈଠକରେ ଓଡିଶାରେ ଇସ୍ପାତ୍ ଇତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସଂପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ବିଶେଷ ଭାବରେ ଓଡ଼ିଶାକୁ ଇସ୍ପାତ୍ର ପେଣ୍ଠସ୍ଥଳିରେ ପରିଣତ କରିବା ଏବଂ ଏଥିରେ ଆର୍ସେଲର ମିତଲର ଭୂମିକା କ’ଣ ରହିବ ସେ ନେଇ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। ଏହି ବୈଠକରେ ଅଗ୍ରଣୀ ଇସ୍ପାତ୍ ଉତ୍ପାଦନ କମ୍ପାନୀ ଆର୍ସେଲର ମିତଲର ମୁଖ୍ୟଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରଧାନ ତୈଳ, ଗ୍ୟାସ, ଇସ୍ପାତ୍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ର ଉପରେ ଆଲୋଚନା କରିଥିଲେ।
ବିଶେଷ ଭାବରେ ନୂତନ ଉଦ୍ଭାବନ ମାଧ୍ୟମରେ କିପରି ତୈଳ, ଗ୍ୟାସ, ଇସ୍ପାତ୍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜବୁତ୍, ଦକ୍ଷତାସମ୍ପନ୍ନ ଏବଂ ବୈଶ୍ୱିକ ପ୍ରତିଯୋଗିତାମୂଳକ କରିହେବ ସେ ନେଇ ଆଲୋଚନା ହୋଇଥିଲା। ବିଶେଷ ଭାବରେ ଏହି ସବୁ କ୍ଷେତ୍ରରେ ନୂତନ ଉଦ୍ଭାବନ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିବା ସହ ଆତ୍ମନିର୍ଭର ଯାତ୍ରାରେ ଆର୍ସେଲର ମିତଲର ସହଯୋଗ ନେଇ ଆଲୋଚନା କରିଥିଲେ। ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେବଳ ଓଡିଶାରେ ୧୦୦ ମିଲିଟନ ଟନ୍ ଇସ୍ପାତ୍ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ପରିପ୍ରେକ୍ଷୀରେ ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ଖଣି ଓ ଇସ୍ପାତ୍ ଉତ୍ପାଦନର ଅଭିବୃଦ୍ଧି ନେଇ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଏବଂ ଆତ୍ମନିର୍ଭର ଭାରତରେ ଓଡିଶାରେ ଥିବା ଧାତୁ ଏବଂ ଖଣି କ୍ଷେତ୍ରର ଭୂମିକା କ’ଣ ରହିବ ତଥା ଆତ୍ମନିର୍ଭର ଭାରତରେ ଓଡିଶାର ଏହି କ୍ଷେତ୍ରର ବ୍ୟାପକ ଯୋଗଦାନ କଣ ରହିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା। ଏହି ଆଲୋଚନା କାଳରେ ଉଭୟ ଘରୋଇ ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ସେହିପରି ଉନ୍ନତମାନର ଟେକ୍ନୋଲୋଜି ଏବଂ ଇସ୍ପାତ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସହ ଘରୋଇ ଇସ୍ପାତ୍କୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ। ବିଶ୍ୱର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ଏହି କମ୍ପାନୀ ଭାରତରେ ସଂପ୍ରସାରଣ କରିବା ପାଇଁ ଇଚ୍ଛୁକ ରଖିଛି। କମ୍ପାନୀର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Comments are closed.