ରିଲାଏନ୍ସ ନିଜ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣ ଖର୍ଚ୍ଚ ବହନ କରିବ: ନୀତା ଅମ୍ବାନୀ

ମୁମ୍ବାଇ: ଦେଶର ସମସ୍ତ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଯାଇଛି । ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। କର୍ପୋରେଟ ସେକ୍ଟର ମଧ୍ୟ ନିଜ କର୍ମଚାରୀ ମାନଙ୍କୁ କରୋନା ଟିକା ଦେବାପାଇଁ ଆଗେଇଛି।
ତେବେ ରିଲାଏନ୍ସ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣର ପୁରା ଖର୍ଚ୍ଚ ରିଲାଏନ୍ସ ବହନ କରିବ ବୋଲି ନୀତା ଅମ୍ବାନୀ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି। ନୀତା ଅମ୍ବାନୀ ପତ୍ରରେ କହିଛନ୍ତି ଯେ ଯୋଗ୍ୟ କର୍ମଚାରୀ ସରକାରଙ୍କ ଦ୍ୱାରା ଜାରି ଟିକାକରଣ ଅଭିଯାନରେ ଶୀଘ୍ର ପଞ୍ଜିକରଣ କରନ୍ତୁ।
ନୀତା ଅମ୍ବାନୀ ଆହୁରି ମଧ୍ୟ କହିଛନ୍ତି, ‘ଆଉ କିଛି ସମୟର କଥା, ଦେଶ କରୋନା ଯୁଦ୍ଧ ଜିତିଯିବ। ଆଶା, ବିଶ୍ୱାସ ଓ ଆନନ୍ଦ ସହ ଦେଶ ଏକ ନୂଆ ପର୍ଯ୍ୟାୟରେ ପାଦ ରଖିବ।’ ରିଲାଏନ୍ସ ଗ୍ରୁପରେ ୬ ଲକ୍ଷ କର୍ମଚାରୀ କାମ କରନ୍ତି। ଏହି କର୍ମଚାରୀଙ୍କ ପରିବାରକୁ ସାମିଲ କରିବା ପରେ ମୋଟ ସଂଖ୍ୟା ପାଖାପାଖି ୧୯ ଲକ୍ଷ ରହିଛି।
ସେ କହିଛନ୍ତି ଯେ ଆମେ ବର୍ତ୍ତମାନ କରୋନା ବିରୁଦ୍ଧ ଲଢେଇର ଶେଷ ପର୍ଯ୍ୟାୟରେ ଅଛୁ ଏବଂ ଶୀଘ୍ର କରୋନା ଉପରେ କାବୁ ପାଇବା। ଶେଷରେ ସେ କହିଛନ୍ତି, ମୋର ବିଶ୍ୱାସ “କରୋନା ହାରିବ, ଭାରତ ଜିତିବ।
ଏହା ପୂର୍ବରୁ ୨୦୨୦ ଡିସେମ୍ବର ଶେଷ ଆଡକୁ ‘ରିଲାଏନ୍ସ ଫ୍ୟାମିଲି ଡେ’ ଅବସରରେ ନୀତା ଅମ୍ବାନୀ ଓ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ କହିଥିଲେ ଯେ ଯେମିତି ଜରୁରୀ ଅନୁମତି ମିଳିବ ସେ ରିଲାଏନ୍ସ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣ ଅଭିଯାନ ଆରମ୍ଭ କରିବେ।
Comments are closed.