ଘରୁ ରକ୍ତାକ୍ତ ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଠାବ

ଗୋଷାଣି : ରକ୍ତାକ୍ତ ଅବସ୍ଥାରେ ଦୁଇ ଯୁବକ ଯୁବତୀଙ୍କ ମୃତଦେହ ଠାବ। ଏହି ଘଟଣାଟି ଆରିବା ଗାଁରେ ଘଟିଛି। ଉଭୟଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଘଟଣା ସ୍ଥଳରେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ପହଞ୍ଚି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଦୁଇ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି କହିଛି ପୁଲିସ ।
ପ୍ରକାଶ ଯେ, ଆରିବା ଗାଁର ଏସ୍.ଦିଲେଶ୍ୱରୀ ଏବଂ ପି.ତିଲୁରୁ ଶ୍ରୀନଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିବା କୁହାଯାଉଛି । ୨୧ ବର୍ଷିୟା ଦିଲେଶ୍ୱରୀଙ୍କ ବାହାଘର ପରିବାର ଲୋକ ଅନ୍ୟତ୍ର ଠିକ୍ କରିଥିବା ବେଳେ ଆଉ ଦୁଇଦିନ ପରେ ତାଙ୍କ ବାହାଘର ହୋଇଥାନ୍ତା ।
ରବିବାର ଦିଲେଶ୍ୱରୀଙ୍କ ବାପା ଏସ୍.ବାବୁ ରାଓ ଓ ମାଆ ବିରି ତୋଳିବାକୁ ଜମିକୁ ଯାଇଥିଲେ । ସନ୍ଧ୍ୟାରେ ଫେରି ଏହି ଦୁହିଁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ କାନ୍ଦଶୁଣି ପଡ଼ୋଶୀ ଘରେ ପହଞ୍ଚିଥିଲେ । ଏ ନେଇ ଖବର ଦେବାପରେ ପୁଲିସ ଆସି ଦୁଇ ମୃତଦେହକୁ ଜବତ କରିଥିବା ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ପି.ସନ୍ମୁଖ ରାଓ କହିଛନ୍ତି ।
ଦୁଇଜଣଙ୍କ ବେକ କଟି ଅତ୍ୟଧିକ ରକ୍ତସ୍ରାବ ହେତୁ ଦୁହିଁଙ୍କ ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ଟିମ୍ର ମତାମତ ମିଳିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିବ ବୋଲି ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତି କହିଛନ୍ତି ।
ତେବେ ଗୁରାଣ୍ଡି ଥାନା ପୁଲିସ ଏହି ଘଟଣାରେ ୦୨/୨୦୨୧ରେ ଏମ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରୁଥିବା ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଅଭିମନ୍ୟୁ ପୋଲାଇ କହିଛନ୍ତି ।
Comments are closed.