ଓଜେଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ କିଟ୍ ଲ ସ୍କୁଲର ୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ କିଟ୍ ଲ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ମଙ୍ଗଳବାର ଓଜେଏସ୍ -୨୦୧୯ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ମୋଟ୍ ୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି।
କେବଳ କିଟ୍ ଲ ସ୍କୁଲ୍ର ୯ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କିଟ୍ ଲ ସ୍କୁଲର ୩ଜଣ ଛାତ୍ର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାର ଗୌରବ ଅର୍ଜ୍ଜନ କରିଛନ୍ତି। ଲ ସ୍କୁଲର କୃଷ୍ଣ ମିଶ୍ର ତୃତୀୟ ସ୍ଥାନରେ ରହିଥିବା ବେଳେ ଶୁଭଜିତ ବେହେରା ଓ ଦେବାନ ସତ୍ୟଦର୍ଶୀ ନନ୍ଦ ଯଥାକ୍ରମେ ପଞ୍ଚମ ଓ ସପ୍ତମ ସ୍ଥାନରେ ରହିଛନ୍ତି।
ଓଜେଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କିଟ୍ ଲ ସ୍କୁଲର ଅନ୍ୟ ୬ ଛାତ୍ରଛାତ୍ରୀ ହେଲେ ଚନ୍ଦନ ଦେହୁରୀ, ଦେବମାଳିନୀ ଐଶ୍ୱର୍ଯ୍ୟା, ଜୟା ରାୟ, ମନ୍ଦିରା ମହାନ୍ତ, ସାରୋନ୍ ବସ୍ତିଆ ଏବଂ ଭିୟେନା ନାୟକ। କୃତକାର୍ଯ୍ୟ ହୋଇଥିବା ଏହି ୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଜଣ କିଟ୍ ଲ ସ୍କୁଲରୁ ଏଲ୍ଏଲବି କରିଥିବା ବେଳେ ୨ଜଣ ବର୍ତ୍ତମାନ ଏଲ୍ଏଲ୍ଏମ୍ କରୁଛନ୍ତି।
ଏହି ସଫଳତାରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ କିଟ୍ ଲ ସ୍କୁଲକ ଧନ୍ୟବାଦ ଜଣାଇବା ସହ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବାରୁ କିଟ୍ ଲ ସ୍କୁଲର ଛାତ୍ରଛାତ୍ରୀମାନେ ଲଗାତାର ସଫଳତା ହାସଲ କରିଆସୁଛନ୍ତି ବୋଲି କହିଛନ୍ତି।
ଅପରପକ୍ଷରେ ଏହି ଅଭୂତପୂର୍ବ ସଫଳତାରେ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିଟ୍ ଲ ସ୍କୁଲର ଗୁଣାତ୍ମକ ଶିକ୍ଷା ଓ ଅଧ୍ୟାପକ ଅଧ୍ୟାପିକାଙ୍କ ନିରନ୍ତର ପ୍ରୟାସ ଯୋଗୁଁ କିଟ୍ ଲ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ସଫଳତା ପାଇ ଆସୁଛନ୍ତି ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରୁଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି।
Comments are closed.