ଜାଗର ପାଇଁ ସଜେଇ ହେଇଛି ଲିଙ୍ଗରାଜ

ଭୁବନେଶ୍ବର: ରାତି ପାଇଲେ ପବିତ୍ର ମହାଶିବରାତ୍ରି। ମହାଶିବରାତ୍ରି ପାଇଁ ସବୁ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବାବେଳେ କରୋନା କଟକଣା ମଧ୍ୟରେ ପାଳନ ହେବ ଜାଗର। ବହୁ ବିବାଦ ପରେ ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବାକୁ ଭକ୍ତଙ୍କୁ ମଳିଛି ଅନୁମତି। କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି।
ଏନେଇ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ। ମନ୍ଦିରକୁ ଫୁଲ ଆଲୋକମାଳରେ ସୁସଜ୍ଜିତ କରାଯାଇଛି। ମନ୍ଦିର ବାହାରେ ୨ ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ୍ କରାଯାଇଛି। ଭିତରେ ଭକ୍ତଙ୍କ ଭିଡ ଏଡାଇବାକୁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯାଇଛି। ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି। କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଆଡ଼ମ୍ବରପୂର୍ଣ୍ଣ ଜାଗର ଯାତ୍ରା ବନ୍ଦ କରାଯାଇଛି।
ମହାଶିବରାତ୍ରି ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍। ମାଉସୀ ମା’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମସି ମାର୍କେଟ ପାର୍କିଂକୁ ଯିବ। ସେହିପରି କେଉଟସାହି ପଟର ଗାଡ଼ି ବିଏମସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ। ଦକ୍ଷିଣକାଳୀ ଓ ତାରାସୁନ୍ଦରୀ ରାସ୍ତାପଟ ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆକୁ ଯିବେ। ପୁନାମା ଗେଟ ପଟର ଗାଡ଼ିକୁ ବଢ଼େଇବାଙ୍କ ଆଡକୁ ଛଡ଼ା ଯିବନି। ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ।
Comments are closed.