ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନକରିବା ପାଇଁ ଭାରତ ପ୍ରସ୍ତୁତ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍ଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଯାଇଛି । ଏହି ଯୌଥ ଉଦ୍ୟୋଗ ମାଧ୍ୟମରେ ଦେଶରେ ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ଏବଂ ବ୍ୟବହାରଯୁକ୍ତ ଆଲୁମିନିୟମର ପୁନଃବ୍ୟବହାର କରିବା ପାଇଁ ଆଗାମୀ ଦିନରେ ଯୋଜନା ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
ଉଲ୍ଲେଖନୀୟ ଯେ, ଆଇସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ ହେଉଛି ଇଣ୍ଡିଆନ ଅଏଲ ଏବଂ ଇସ୍ରାଏଲର ଫିନର୍ଜି କମ୍ପାନୀର ଯୋଥ ଉଦ୍ୟୋଗ । ଏହି କମ୍ପାନୀ ଭାରତୀୟ ଅଟୋମୋଟିଭ୍ ଉତ୍ପାଦନକାରୀ କମ୍ପାନୀକୁ ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜି ଯୋଗାଇବ। ଇଣ୍ଡିଆନ ଅଏଲ ଏବଂ ଫିନର୍ଜି କମ୍ପାନୀ ସ୍ୱଚ୍ଛ, ସ୍ଥାୟୀ, ସୁଲଭ ଏବଂ ସୁରକ୍ଷିତ ଉର୍ଜାକୁ ଗୁରୁତ୍ୱ ଦେଇ ଏହାକୁ ଉପଲବ୍ଧ କରିବା ସହ ନୂଆ ଯାତ୍ରା ଆରମ୍ଭ କରିଥିବାରୁ ଏହି ଦୁଇ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ ।
ସେ କହିଛନ୍ତି ଯେ, ଅଟୋମୋଟିଭ୍ କ୍ଷେତ୍ରରେ ଆଲୁମିନିୟମ ଏୟାର ଟେକ୍ନୋଲୋଜିର ବ୍ୟବସାୟକୁ ସହଯୋଗ କରିବା ପାଇଁ ଇଣ୍ଡିଆନ ଅଏଲ-ଫିନର୍ଜି ପ୍ରାଇଭେଟ ଲିମିଟେଡ୍ ସହ ଅଟୋମୋଟିଭ୍ ଉତ୍ପାଦନକାରୀ ମାରୁତି ସୁଜୁକି ଏବଂ ଅଶୋକ ଲେଲ୍ୟାଣ୍ଡ ମଧ୍ୟରେ ଲେଟର ଅଫ୍ ଇଂଟେଟ୍ ନେଇ ମଧ୍ୟ ଆଜି ଚୁକ୍ତି ହୋଇଯାଇଛି । ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ଉପଲବ୍ଧି।
ଏହି ଟେକ୍ନୋଲୋଜି ପରିବହନ କ୍ଷେତ୍ରରେ ପ୍ରଦୂଷଣ କମାଇବାରେ ସହାୟକ ହେବ। ଏହି ଯୌଥ ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟରେ ନୂଆଦିଲ୍ଲୀ ଠାରେ ୨୦୧୮ ରେ ହୋଇଥିବା ବୁଝାମଣା ପତ୍ର(ଏମଓୟୁ)ର ପ୍ରତିଫଳନ। ପ୍ରଦୂଷଣ କମ କରିବା ଭଳି ଉର୍ଜା ମାଧ୍ୟମରେ ଭାରତ ଜଳବାୟୁ ପରିବର୍ତନକୁ ହ୍ରାସ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦର୍ଶାଇଛି। ଏହା ଭବିଷ୍ୟତ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ପଦକ୍ଷେପ ଆଲୁମିନିୟମ ଏୟାର ବ୍ୟାଟେରୀ ପରିସଂସ୍ଥାନର ସ୍ୱଦେଶୀ ବିକାଶକୁ ସୁବିଧା ପ୍ରଦାନ କରିବା ସହ ବିଦ୍ୟୁତଚାଳିତ ଯାନବାହାନର ଟେକ୍ନୋଲୋଜି କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ମଜବୁତ୍ କରିବ। ଏହାସହ ଅନ୍ୟାନ୍ୟ ସ୍ୱଚ୍ଛ ଉର୍ଜା ଦିଗରେ ଗବେଷଣା ଏବଂ ବିକାଶ, ଟେକ୍ନୋଲୋଜି ଟ୍ରାନ୍ସଫର, ପୁଞ୍ଜିନିବେଶ, କ୍ଷମତା ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Comments are closed.