ଫେରିଯିବ ‘ସୁନ୍ଦରୀ’, ବାନ୍ଧବଗଡ଼ର ବାଘୁଣୀକୁ ନେବା ପାଇଁ ଆସୁଛି ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଫେରିଯିବ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ‘ସୁନ୍ଦରୀ’। ବାନ୍ଧବଗଡ଼ର ବାଘୁଣୀକୁ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ରପ୍ରକଳ୍ପରୁ ଆସୁଛି ଏକ ସ୍ବତନ୍ତ୍ର ଟିମ୍। ଆଜି ସାତକୋଶିଆରେ ପହଁଞ୍ଚି ପ୍ରଥମେ ଡାକ୍ତରୀ ଦଳ ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଯଦି ସୁନ୍ଦରୀ ସୁସ୍ଥ ଥିବ ତେବେ ୩/୪ ଦିନ ମଧ୍ୟରେ ତାକୁ ସ୍ୱତନ୍ତ୍ର ଗାଡ଼ିରେ ଫେରାଇ ନିଆଯିବ ବୋଲି ସୂଚନା ରହିଛି।
ସୁନ୍ଦରୀକୁ ପ୍ରଥମେ ମଧ୍ୟପ୍ରଦେଶର ‘ଘୋରେଲା’ରିୱାଇଲ୍ଡ଼ିଂ ସେଣ୍ଟର୍କୁ ନିଆଯିବ। ସେଠାରେ ପୁଣି ତା’ର ଜଙ୍ଗଲୀ ପ୍ରକୃତିକୁ ଫେରାଇ ଅଣାଯିବା ପାଇଁ ଉଦ୍ୟମ କରାଯିବ। ଏଥିପାଇଁ କାହ୍ନା ବ୍ୟାଘ୍ର ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ, ଜଣେ ଡାକ୍ତରଙ୍କ ସହ ଅନ୍ୟ ୫ଜଣ କର୍ମଚାରୀ ସାତକୋଶିଆକୁ ଆସୁଛନ୍ତି । କାହ୍ନା ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି।
ସୂଚନା ଥାଉକି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ମଣିଷମରା ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରାଇ ନେବାର ବନ୍ଦୋବସ୍ତ କରାଯାଉଛି ବୋଲି ପୂର୍ବରୁ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଥିଲେ । ‘କାହ୍ନା’ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ବିଳମ୍ବ ଯୋଗୁଁ ସୁନ୍ଦରୀ ଫେରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ କାହ୍ନା ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ୍ ସୁନ୍ଦରୀକୁ ଫେରାଇ ନେବାକୁ ଆସୁଥିବାରୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି ।
Comments are closed.