ଆଜି ଫେରିଯିବ ସୁନ୍ଦରୀ
ଅନୁଗୁଳ: ଆଜି ଫେରିଯିବ ବାଘୁଣୀ ‘ସୁନ୍ଦରୀ’। ‘ସୁନ୍ଦରୀ’କୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଟିମ୍ ଗତକାଲି ଆସି ପହଞ୍ଚିଥିବା ବେଳେ ବାଘୁଣୀର ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବାଘୁଣୀ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଯିବ।ସାତକୋଶିଆ ବନଖଣ୍ଡର ରାଇଗୁଡ଼ାରେ ଏକ ଏନକ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ଆଜି ସେଠାରୁ ଏକ ଟିମ୍ ଆସି ଅନୁଗୁଳରେ ପହଞ୍ଚିଛନ୍ତି।
୭ ଜଣିଆ ଟିମ୍ ପହଞ୍ଚିବା ପରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ୍ରେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଓ ଡାକ୍ତର ରହିଛନ୍ତି। ସେମାନେ ଜଙ୍ଗଲରେ ସୁନ୍ଦରୀର ଗତିବିଧି ଅନୁଧ୍ୟାନ କରିଥିଲେ। ତା ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ଓଡ଼ିଶା ବନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ସୁନ୍ଦରୀକୁ ଧରିବା ପ୍ରକ୍ରିୟା ନେଇ ମଧ୍ୟ ଆଲୋଚନା ହୋଇଛି। ଯନ୍ତାରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ନିଷ୍ପତ୍ତି ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।
ବାଘୁଣୀକୁ ଯନ୍ତାରେ ଧରିବା ପରେ ତାକୁ ମଧ୍ୟପ୍ରଦେଶ ଫେରାଇ ନିଆଯିବ। ବାଘୁଣୀକୁ ନେବା ପାଇଁ ସ୍ବତନ୍ତ୍ର ଯାନ ମଧ୍ୟ ଆସି ରାଇଗୁଡାରେ ପହଞ୍ଚି ସାରିଛି। କୌଣସି ବିଶେଷ ଅସୁବିଧା ନ ହେଲେ ଆଜି ଅପରାହ୍ଣ ସୁଦ୍ଧା ଏହି ଲେଉଟାଣି ପ୍ରକ୍ରିୟା ଶେଷହେବ। ଏଥିନେଇ ଅନୁଗୁଳ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ କହିଛନ୍ତି ଯେ, କାହ୍ନା ଅଭୟାରଣ୍ୟର ଟିମ୍ ରବିବାର ଦିନ ଏଠାରେ ପହଞ୍ଚିବା ପରେ ରାଇଗୁଡା ଯାଇଛନ୍ତି। ସେମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆସନ୍ତାକାଲି କିମ୍ବା ଦୁଇଦିନ ଭିତରେ ସେମାନେ ସୁନ୍ଦରୀକୁ ଫେରାଇନେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
Comments are closed.