Odisha Link
Bridging the Missing Links in Odisha

କରୋନା ଟିକା ନେବା ପରେ ସଂକ୍ରମିତ ହେଲେ ଡାକ୍ତର ଓ ନର୍ସ

ନୂଆଦିଲ୍ଲୀ: କରୋନା ଟିକାର ଦୁଇଟି ଯାକ ଡୋଜ ନେବା ପରେ ଲକ୍ଷ୍ନୌର ଜଣେ ଡାକ୍ତର ଓ ଦିଲ୍ଲୀର ଜଣେ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଡାକ୍ତର ଜଣକ ଲକ୍ଷ୍ନୌସିଭିଲ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାମ ନୀତିନ ମିଶ୍ର। ସେ କୋଭାକ୍ସିନ ଟିକାର ପ୍ରଥମ ଡୋଜ ଫେବ୍ରୁଆରୀ ୧୫ ତାରିଖରେ ନେଇଥିଲେ। ମାସକ ପରେ ମାର୍ଚ୍ଚ ୧୬ରେ ଦ୍ୱିତୀୟ ଡୋଜ ନେଇଥିଲେ। ହେଲେ ମାର୍ଚ୍ଚ ୧୮ ତାରିଖରେ ତାଙ୍କୁ ସାମାନ୍ୟ ଜ୍ୱର ହେବା ସହିତ କାଶ ହୋଇଥିଲା।

ଏଥିପାଇଁ ମାର୍ଚ୍ଚ ୨୦ରେ ସେ କରୋନା ଟେଷ୍ଟ କରାଇଥିଲେ। ଦିନକ ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ ଏବେ ନିଜ ଘରେ ହୋମ୍‌ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ଭାବେ ଟିକାର ଦୁଇଟି ଡୋଜ ନେବା ପରେ ସଂକ୍ରମିତ ହେବା ୟୁପିରେ ଏହା ପ୍ରଥମ ଘଟଣା। ୟୁପି ମେଡିକାଲ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡି.ଏସ୍‌. ନେଗିଙ୍କ କହିବାନୁଯାୟୀ ତଥ୍ୟ ଅନୁସାରେ କୋଭାକ୍ସିନ ୮୦-୯୦ ପ୍ରତିଶତ ଫଳପ୍ରଦ। କିନ୍ତୁ ଏହି ଟିକା କରୋନା ସଂକ୍ରମଣକୁ ରୋକିପାରିବ ନାହିଁ।

ତେବେ ଟିକା ନେବା ପରେ ଜଣେ ବ୍ୟକ୍ତି ଗୁରୁତର ହେବାରୁ ରକ୍ଷା ମିଳିପାରିବ। ସେହିଭଳି ସଂକ୍ରମିତ ନର୍ସ ଜଣକ ଦିଲ୍ଲୀର ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ପ୍ରାୟ ୧ ମାସରୁ ଅଧିକ ଦିନ ହେଲା ସେ ତାଙ୍କର ଦୁଇଟି ଯାକ ଡୋଜ୍‌ ଟିକା ନେଇସାରିଛନ୍ତି। କିନ୍ତୁ ସୋମବାର ଅପରାହ୍ନରେ ଶରୀରରେ ପୀଡା ଅନୁଭବ କରିଥିଲେ। ସେଥିପାଇଁ ସେ ତାଙ୍କର କରୋନା ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ପଜିଟିଭ୍‌ ଆସିଛି।

Comments are closed.