Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଥାନା ଏସଆଇ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଥାନାର ଏସ୍‌ଆଇ ବିଶ୍ବଜିତ ଗଡ଼ନାୟକ। ଏକ ବକେୟା ଅର୍ଥ ଆଦାୟ ମାମଲାର ସମାଧାନ ପାଇଁ କଟକ ସଦର ବ୍ଲକ୍‌ କଚେରାମାଳର ପ୍ରିତମ୍‌ ମହାନ୍ତିଙ୍କ ଠାରୁ କନ୍ଦରପୁର ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ଡିଭିଜନ୍‌ ଅଧିକାରୀଙ୍କ ହାତରେ ସେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି।

ଏପରି ମୋଟା ଅଙ୍କର ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ କେସ୍‌ ନଂ୧/୨୧ରେ ଏକ ମାମଲା ରୁଜୁ କରି ଏସ୍‌ଆଇ ଶ୍ରୀ ଗଡ଼ନାୟକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ଭିଜିଲାନ୍ସର ଏକ ଟିମ୍ ଜଗତସିଂହପୁର ଥାନାକୁ ଆସି ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି।

ଏକ ଯୌତୁକ ମାମଲାରେ ଗଡନାୟକ ପୂର୍ବରୁ ଲକ୍ଷାଧିକ ଟଙ୍କା ନେଇ ବିବାଦରେ ଥିଲେ। ପ୍ରିତମ୍‌ ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଏହି ଲାଞ୍ଚ ଦାବି ସଂକ୍ରାନ୍ତରେ ଅଭିଯୋଗ କଲା ପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍‌ ରାସାୟନିକ ପ୍ରଲେପ ଦିଆ ୫୦ ହଜାର ଟଙ୍କା ଦେଇ ପ୍ରତିମ୍‌ଙ୍କୁ କନ୍ଦରପୁର ପଠାଇଥିଲେ।

କନ୍ଦରପୁର ନିକଟରେ ଭିଜିଲାନ୍ସ ଟିମ୍ ଡେରା ପକାଇଥିବା ବେଳେ ରାତି ପ୍ରାୟ ୮ଟା ବେଳେ ଏସ୍‌ଆଇ ଗଡ଼ନାୟକ ଏହି ଟଙ୍କା ନେଇଥିଲେ। ଠିକ୍‌ ସେତିକି ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା।

Comments are closed.