ପାଟିରେ ଫେବିକ୍ୱିକ୍ ଲଗାଇ ତିନିଲକ୍ଷ ଲୁଟ୍
ଗାଜିଆବାଦ : ନୂଆ ନୂଆ ଉପାୟ ଲମ୍ବନ କରି ଲୁଟୁଛନ୍ତି ଲୁଟେରା। ଗାଜିଆବାଦର ଜଣେ ଇଲେକ୍ଟ୍ରିକ ବ୍ୟବସାୟୀଙ୍କ ଘରେ ହୋଇଛି ଲୁଟ। ଘର ଭିତରେ ଲୁଟେରା ମାନେ ପ୍ରଥମେ ମହିଳାଙ୍କୁ ବନ୍ଧକ କରି ୧୨ ବର୍ଷର ପୁଅ ପାଟିରେ ଫେବିକ୍ୱିକ୍ ଲଗାଇ ଦେଇଥିଲେ।
ପ୍ରକାଶ ଯେ, ଶାସ୍ତ୍ରୀନଗର ବି ବ୍ଲକର ୧୭୪ ନମ୍ବର ଘରେ ରହୁଥିବା ପ୍ରବୀଣ ସିଂହଲ ପଟେଲ ମାର୍ଗରେ ନ୍ୟୁ ଦୀପମାଳା ନାମରେ ଏକ ଇଲେକ୍ଟ୍ରିକ ଦୋକାନ କରିଛନ୍ତି। ପରିବାରରେ ପତ୍ନୀ ଓ ପୁଅ-ଝିଅ ଅଛନ୍ତି।
ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ପ୍ରବୀଣ ଦୋକାନରେ ଥିଲେ। ଝିଅ ଟ୍ୟୁସନ ଯାଇଥିଲା। ଘରେ ପତ୍ନୀ ଓ ୧୨ ବର୍ଷର ପୁଅ ଥିଲେ। କଲିଂ ବେଲ ଶବ୍ଦ ଶୁଣି ଶାଲିନି ବାହାରିକୁ ଆସିଥିଲେ। ସେ ଦେଖିଲେ କେହି ଜଣେ ହେଲମେଟ ପିନ୍ଧି ଛିଡା ହୋଇଛି।
ସେ ଯେମିତି ଗେଟ ଖୋଲିଲେ ଯୁବକ ତାଙ୍କୁ ଧକ୍କା ମାରି ଚୁପଚାପ ଘର ଭିତରକୁ ଯିବାକୁ କହିଲା। ଶାଲିନି କିଛି ବୁଝିବା ପୂର୍ବରୁ ସେ ଆଉ ଜଣେ ଦୁର୍ବୁତ୍ତ ଘର ଭିତରକୁ ପଶି ଶାଲିନିଙ୍କୁ ବନ୍ଧକ କରିଦେଲା। ତାଙ୍କ ୧୨ବର୍ଷର ପୁଅ ୱାଇପରରେ ଦୁର୍ବୁତ୍ତଙ୍କୁ ଆକ୍ରମଣ କରିଥିଲା।
ଦୁର୍ବୁତ୍ତ ଏଥିରେ ରାଗିଯାଇ ପୁଅ ପାଟିରେ ଫେବିକ୍ୱିକ୍ ଲଗାଇ ଦେଇଥିଲେ ଯେପରି ସେ କିଛି କହିପାରିବନି। ଏହାପରେ ପୁଅର ବେକରେ ଛୁରୀ ଲଗାଇ ମା-ପୁଅ ଦୁହିଁଙ୍କୁ ବନ୍ଧକ ରଖିଲେ ଓ ପ୍ରାୟ ଅଧା ଘଣ୍ଟା ଯାଏଁ ଲୁଟିଲେ।
ଦୁର୍ବୁତ୍ତ ଘରୁ ପ୍ରାୟ ନଗଦ ଅଢେଇ ଲକ୍ଷ ଟଙ୍କା ଓ ଲକ୍ଷେ ଟଙ୍କା ଉପରକୁ ଗହଣା ନେଇ ଫେରାର ହୋଇଗଲେ। ଦୁର୍ବୁତ୍ତ ଗଲାପରେ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସ ମାମଲା ରୁଜ୍ଜୁ କରି ଦୁର୍ବୁତ୍ତଙ୍କୁ ଖୋଜୁଛି।
Comments are closed.