Fact Check: ବାଂଲାଦେଶ ସ୍ବାଧୀନତା, ମୋଦିଙ୍କ ସତ୍ୟାଗ୍ରହ ଓ ସିଆଇଏ
୧୯୭୧ରେ ଦିଲ୍ଲୀ ଠାରେ ବାଂଲାଦେଶ ମୁକ୍ତି ସତ୍ୟାଗ୍ରହରେ ନରେନ୍ଦ୍ର ମୋଦି ଭାଗ ନେଇଥିଲେ ବୋଲି ତାଙ୍କ ଜୀବନୀ ଲେଖକ ଉଲ୍ଲେଖ କରିଛନ୍ତି
ଗତ ସପ୍ତାହରେ ବାଂଲୋଦଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେବା ଲାଗି ଢାକା ଗସ୍ତ ଅବସରରେ ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଂଲା ମୁକ୍ତି ପାଇଁ ସେ ସତ୍ୟାଗ୍ରହ କରିଥିଲେ ଓ ଜେଲ୍ ମଧ୍ୟ ଯାଇଥିଲେ। ମୋଦିଙ୍କର ଏ ବକ୍ତବ୍ୟକୁ ନେଇ ଗତ ତିନିଦିନ ଧରି ଚର୍ଚ୍ଚା ଥମିନାହିଁ। ବିରୋଧୀମାନେ ଏହାକୁ ଡାହା ମିଛ ବୋଲି କହୁଥିବା ବେଳେ ସମର୍ଥକମାନେ ମୋଦିଙ୍କ ସତ୍ୟାଗ୍ରହ ସମ୍ପର୍କିତ ନଥି ଉପସ୍ଥାପନା କରୁଛନ୍ତି।
ଏ ନେଇ ଆମେ ବିଭିନ୍ନ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ, ମୋଦିଙ୍କ ଲିଖିତ ପୁସ୍ତକ ଓ ଇଣ୍ଟରନେଟ୍ରେ ଉପଲବ୍ଧ କିଛି ଭରସାଯୋଗ୍ୟ ତଥ୍ୟ ଓ ଫଟୋଚିତ୍ରକୁ ଅନୁଶୀଳନ କରି ଏ ସିଦ୍ଧାନ୍ତରେ ଉପନୀତ ହୋଇଛୁ ଯେ ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ ବାଜପେୟୀଙ୍କ ନେତୃତ୍ବରେ ଜନସଂଘ ପକ୍ଷରୁ ଏକ ସତ୍ୟାଗ୍ରହ ଦିଲ୍ଲୀରେ ହୋଇଥିଲା। ସେତେବେଳେ ୨୧ ବର୍ଷୀୟ ନରେନ୍ଦ୍ର ମୋଦି ଏହି ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ ବୋଲି “ନରେନ୍ଦ୍ର ମୋଦି: ଦି ମ୍ୟାନ୍, ଦି ଟାଇମ୍ସ” ପୁସ୍ତକରେ ଲେଖକ ନୀଳାଞ୍ଜନ ମୁଖୋପାଧ୍ୟାୟ ଉଲ୍ଲେଖ କରିଛନ୍ତି। ପୁସ୍ତକରେ ମୋଦି ୧୯୭୧ରେ ଏହି ସତ୍ୟାଗ୍ରହରେ ଭାଗନେଇ ବାଂଲାଦେଶ ମୁକ୍ତିଯୁଦ୍ଧରେ ନିଜକୁ ସାମିଲ କରିବାକୁ ଦାବି କରିଥିବା ଉଲ୍ଲେଖ ଅଛି। ତେବେ ଭାରତ ସରକାର ତାଙ୍କୁ ବାଂଲାଦେଶ ଯିବାକୁ ଅନୁମତି ଦେବା ବଦଳରେ ଗିରଫ କରି ତିହାର ଜେଲ ପଠାଇଥିଲେ ବୋଲି ମୋଦି ପୁସ୍ତକର ଲେଖକଙ୍କୁ କହିଛନ୍ତି।
୧୯୭୧ ଅଗଷ୍ଟ ୧ରୁ ୧୨ ଯାଏଁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ଦିଲ୍ଲୀରେ ଏହି ସତ୍ୟାଗ୍ରହ ହୋଇଥିଲା। ଏହାର ୭ ବର୍ଷ ପରେ ୧୯୭୮ ମସିହାରେ ସଂଘର୍ଷମା ଗୁଜରାଟ ଶୀର୍ଷକ ଗୁଜରାଟୀ ଭାଷାରେ ଏକ ବହି ଲେଖିଥିଲେ ନରେନ୍ଦ୍ର ମୋଦି। ଏହି ବହି ଭିତରେ କୌଣସି ସ୍ଥାନରେ ମୋଦିଜୀଙ୍କର ସତ୍ୟାଗ୍ରହ ଓ ଜେଲ ଯିବା ବାବଦରେ ଉଲ୍ଲେଖ ନାହିଁ। ଯଦିଓ ନରେନ୍ଦ୍ର ମୋଦିଙ୍କ ଓ୍ବେବସାଇଟ୍ରେ ଉପଲବ୍ଧ ଏ ବହିର ୨୦୦୦ ମସିହା ସଂସ୍କରଣର ପିଡିଏଫ୍ ଫାଇଲରେ ବହିର ପଛପଟେ ଲେଖକଙ୍କ କ୍ଷୁଦ୍ର ପରିଚୟରେ ସେ ବାଂଲାଦେଶ ସତ୍ୟାଗ୍ରହରେ ଭାଗନେଇ ତିହାର ଜେଲ ଯାଇଥିଲେ ବୋଲି ଉଲ୍ଲେଖ କରାଯାଇଛି। ଏଣୁ ପ୍ରଥମ ବହିରେ ଏ ତଥ୍ୟଟି ପରେ ଯୋଡ଼ାଯାଇଛି ବୋଲି କେହି କେହି ସମାଲୋଚକ ମନେ କରୁଛନ୍ତି।
ତେବେ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଜନସଂଘର ଯୋଗଦାନ ବାବଦରେ ଆମେ ଆଉ ତିନୋଟି ନଥିରୁ ଅଧିକ ଓ ରୋଚକ ତଥ୍ୟ ସବୁ ପାଇବା। ୨୦୧୯ରେ ରାହୁଲ ସାଗର ହିନ୍ଦୁ ନାସନାଲିଜମ୍ ଆଣ୍ଡ ଦି କୋଲ୍ଡ ଓ୍ବାର ଶୀର୍ଷକ ଏକ ପ୍ରବନ୍ଧ ଲେଖିଛନ୍ତି। ଏଥିରେ ସେ ଭାରତୀୟ ଜନସଂଘର ଦୁଇଟି ନଥି ବାବଦରେ ଉଲ୍ଲେଖ କରିଛନ୍ତି- ରେକଗ୍ନାଇଜ୍ ସ୍ବାଧୀନ ବାଂଲାଦେଶ (୨ ଜୁଲାଇ ୧୯୭୧) ଓ ଇେଣ୍ଡା ସୋଭିଏତ୍ ଟ୍ରିଟି (୧୩ ଅଗଷ୍ଟ ୧୯୭୧)।
ରାହୁଲ ଏ ସମସ୍ତ ଘଟଣା ସହ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏକୁ ଯୋଡ଼ିଛନ୍ତି। ଅଗଷ୍ଟ ୯, ୧୯୭୧ରେ ଭାରତ-ରୁଷିଆ ବନ୍ଧୁତା ଚୁକ୍ତି ସ୍ବାକ୍ଷରିତ ହେଲା। ଆମେରିକା ଚାହୁଁଥିଲା ଭାରତ-ପାକିସ୍ତାନ ଯୁଦ୍ଧ ଶୀଘ୍ର ହୋଇଯାଉ। ଏପରି ହେଲେ ଆମେରିକା ଓ ଚୀନ୍ର ସମର୍ଥନ ପାଉଥିବା ପାକିସ୍ତାନକୁ ଅଧିକ ଫାଇଦା ମିଳିବ। କିନ୍ତୁ ଭାରତ-ରୁଷିଆ ଚୁକ୍ତି ଫଳରେ ଏ ଯୁଦ୍ଧ ଏଡ଼ାଇଯିବାର ବା ବିଳମ୍ବରେ ହେବାର ସମ୍ଭାବନା ଥଲା। (ଶେଷରେ ବିଳମ୍ବରେ ହିଁ ଯୁଦ୍ଧ ହେଲା।) ଏଣୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏ ଦିଗରେ ଭାରତରେ ନିଜର କସରତ ଆରମ୍ଭ କରିଦେଲା। ସିଆଇଏ ଭାରତରେ ନିଜର ଏଜେଣ୍ଟ୍ ସବୁଙ୍କୁ ଏ ଦିଗରେ କାମରେ ଲଗାଇଦେଲା। ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍ରେ ମଧ୍ୟ ଜଣେ ସିଆଇଏ ଏଜେଣ୍ଟ୍ ଥିଲେ ବୋଲି ରାହୁଲ ସାଗର ଲେଖିଛନ୍ତି।
ସିଆଇଏ ଭାରତରେ ଏଭଳି ଏକ ବାର୍ତ୍ତା ପ୍ରଚାର କରାଇଲା ଯେ ଭାରତ-ରୁଷିଆ ଚୁକ୍ତି ବାଂଲାଦେଶ ପ୍ରତି ବିଶ୍ବାସଘାତକତା ଓ ରୁଷିଆ କେବେ ବି ବାଂଲାଦେଶକୁ ଏକ ଦେଶ ଭାବେ ସ୍ବୀକୃତି ଦେବନାହିଁ। ଭାରତୀୟ ଜନସଂଘ ମଧ୍ୟ (ହୁଏତ ଅଜାଣତରେ) ଏଭଳି ଏକ ଧାରଣାର ବଶବର୍ତ୍ତୀ ହେଲା। ପୂର୍ବୋକ୍ତ ଦୁଇଟି ଜନସଂଘ ନଥିରେ ତାହା ସ୍ପଷ୍ଟହୁଏ ବୋଲି ରାହୁଲ ଲେଖିଛନ୍ତି। ଉଭୟ ସର୍ବସାଧାରଣରେ ଓ ସଂସଦ ଭିତରେ ଜନସଂଘ ନେତା ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ସହ ଶୀଘ୍ର ଯୁଦ୍ଧ ସପକ୍ଷରେ ଯୁକ୍ତି ରଖିଥିଲେ। ତେବେ ଏଭଳି ହୋଇଥିଲେ ପୂର୍ବ ପାକିସ୍ତାନରେ (ବର୍ତ୍ତମାନର ବାଂଲାଦେଶ) ଚାଲିଥିବା ମୁକ୍ତି ବାହିନୀର ସଂଗ୍ରାମକୁ କ୍ଷତି ପହଞ୍ଚିଥାଆନ୍ତା ଏବଂ ଚୀନ ଆଉ ଆମେରିକା ଖୋଲାଖୋଲି ଭାବେ ପାକିସ୍ତାନ ସମର୍ଥନରେ ଓହ୍ଲାଇଥାଆନ୍ତେ। ସେତେବେଳେ ତୁରନ୍ତ ଯୁଦ୍ଧ ସପକ୍ଷରେ ଆେଦୌ ନ ଥିଲେ ଭାରତ ସରକାର େବାଲି ରାହୁଲ ଉଲ୍ଲେଖ କରିଛନ୍ତି।
ସେତିକିବେଳେ (୧ରୁ ୧୧ ଅଗଷ୍ଟ) ବାଜପେୟୀଙ୍କ ନେତୃତ୍ବରେ ଦିଲ୍ଲୀରେ ବାଂଲାଦେଶକୁ ରାଷ୍ଟ୍ର ଭାବେ ସ୍ବୀକୃତି ଦେବା ଦାବିରେ ସତ୍ୟାଗ୍ରହ ଚାଲିଥିଲା। ଭାରତ-ରୁଷ ଚୁକ୍ତି ସ୍ବାକ୍ଷର ହେବାର ଠିକ ତିନିଦିନ ପରେ ୧୨ ଅଗଷ୍ଟ ୧୯୭୧ରେ ଦିଲ୍ଲୀ ଠାରେ ଏକ ବିଶାଳ ଶୋଭାଯାତ୍ରାକୁ ସମ୍ବୋଧିତ କରିଥିଲେ ବାଜପେୟୀ। ସେ ସମୟରେ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟରୁ ଜଣାଯାଏ ଯେ ଭାରତ-ରୁଷ ଚୁକ୍ତିକୁ ବାଂଲାଦେଶ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି ଏହି ରାଲିରେ କହାଯାଇଥିଲା।
ଭାରତ ସରକାର ନିଜର ନିଷ୍ପତ୍ତିରେ ଅଟଳ ଥିଲେ। ବହୁ ବିଳମ୍ବରେ ସେହିବର୍ଷ ଡିସେମ୍ବରରେ ଭାରତ ବାଂଲାଦେଶକୁ ମୁକ୍ତି କରିବା ଦାବିରେ ପାକିସ୍ତାନ ସହ ଯୁଦ୍ଧ କରିଥିଲା। ମାତ୍ର ୧୩ ଦିନ ଭିତରେ ଡିସେମ୍ବର ୧୬, ୧୯୭୧ରେ ପାକିସ୍ତାନ ଭାରତ ପାଖରେ ପରାଜୟ ବରଣ କରିଥିଲା ଓ ବାଂଲାଦେଶ ନୂଆ ରାଷ୍ଟ୍ରଟିଏ ହୋଇ ମୁଣ୍ଡ ଟେକିଥିଲା।
ଯଦି ଜନସଂଘର ଦାବି ଅନୁସାରେ ଶୀଘ୍ର (୧୯୭୧ ଅଗଷ୍ଟରେ) ଯୁଦ୍ଧ ହୋଇଥାଆନ୍ତା, ଯଦି ସିଆଇଏ ନିଜର ଲକ୍ଷ୍ୟ ସାଧିତ କରିପାରିଥାଆନ୍ତା ହୁଏତ ଆମେରିକା ଓ ଚୀନ୍ ସହଯୋଗରେ ପାକିସ୍ତାନର ବିଜୟ ହୋଇଥାଆନ୍ତା ଆଉ ବାଂଲାଦେଶ ସ୍ବାଧୀନତାର ସୁଆଦ ଚାଖିପାରି ନଥାନ୍ତା।
ସେତେବେଳେ ନରେନ୍ଦ୍ର ମୋଦି ସତ୍ୟାଗ୍ରହରେ ସାମିଲ ହେବା ବେଳେ ଜଣେ ନବାଗତ ତରୁଣ ଭାବେ ହୁଏତ ସେ ଏତେ ଗହନ କଥା ଜାଣି ନଥିବେ। ତେବେ ଏହା ତାଙ୍କର ଆଦ୍ୟ ରାଜନୈତିକ ସଂପୃକ୍ତି ବୋଲି ସେ କହିସାରିଛନ୍ତି।
Comments are closed.