ଗ୍ରୀଷ୍ମ ପ୍ରବାହ ପାଇଁ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳ। ଅନୁଗୁଳ ଓ ବୌଦ୍ଧର କିଛି ସ୍ଥାନରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି।
ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ହ୍ରାସ ପାଇପାରେ ଗ୍ରୀଷ୍ମ ପ୍ରବାହ। ଏନେଇ ଭାରତୀୟ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ଠାରୁ ତାତି ହ୍ରାସ ପାଇବାର ସମ୍ଭାବନା ରହିଛି। କାଲିଠାରୁ କାଳବୈଶାଖୀ ବର୍ଷା ହେବାର ଥିବାରୁ ତାତି କମିପାରେ। ଗତ ୨ ଦିନ ଧରି ଓଡ଼ିଶା, ଆନ୍ଧ୍ରପ୍ରଦେଶରେ ପ୍ରବଳ ତାତି ହେଉଛି। ସମୁଦ୍ରରୁ ଯଥେଷ୍ଟ ପରିମାଣର ବାୟୁ ଆସୁ ନଥିବାରୁ ତାତି ବଢ଼ୁଛି।
IMD ଡିଜି ଆହୁରି କହିଛନ୍ତି, ଚଳିତ ବର୍ଷ ଏପ୍ରିଲ, ମେ’, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିପାରେ। ଏହାସହ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିପାରେ। ତେଣୁ ଗ୍ରୀଷ୍ମ ପ୍ରବାହ ପାଇଁ ଲୋକେ ସତର୍କ ରୁହନ୍ତୁ। ଅନ୍ୟପକ୍ଷେ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଜି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖରାକୁ ନବାହାରିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
Comments are closed.