ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି
ଭୁବନେଶ୍ବର: ଏପ୍ରିଲ ୧ ତାରିଖ ଓଡ଼ିଶାବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ଓ ଖାସ୍ ଦିନ। କାରଣ ଆଜିର ଦିନ ୧୯୩୬ ମସିହାରେ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା ଓଡ଼ିଶା। ଏପରିକି ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶାରେ ଭାରତର ପ୍ରଥମ ରାଜ୍ୟ। ଏଥିପାଇଁ କରୋନା କଟକଣା ମଧ୍ୟରେ ସାରା ଓଡ଼ିଶା ପାଳନ କରୁଛି ୮୬ତମ ଉତ୍କଳ ଦିବସ।
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ଯେ, ଉତ୍କଳ ଦିବସରେ ସମସ୍ତଙ୍କୁ, ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ। ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଶୁଣାଇଛନ୍ତି। ପିଏମ୍ ମୋଦୀ ଟୁଇଟ କରି ଲେଖିଛନ୍ତି ଯେ, ଉତ୍କଳ ଦିବସର ପବିତ୍ର ଅବସରରେ ଶୁଭକାମନା। ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ। ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ। ରାଜ୍ୟର ଜନସାଧାରଣଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଓଡ଼ିଶାଦିବସର ଆନ୍ତରିକ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁଭକାମନା । ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ୍ ସେନାନୀଙ୍କୁ ମୋର କୋଟି କୋଟି ପ୍ରଣାମ। ଆସନ୍ତୁ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ କରିବା। ବନ୍ଦେ ଉତ୍କଳ ଜନନୀ।
Comments are closed.