ଉତ୍କଳ ଦିବସକୁ ନେଇ ରାଜ୍ୟ ଓ କେନ୍ଦ୍ର ଦୁଇଫାଳ
ଏହି ଦିବସକୁ ରାଜ୍ୟ ଓ କେନ୍ଦ୍ର ଭିନ୍ନ ଭିନ୍ନ ନାମରେ ପାଳନ କରୁଥିବା ବେଳେ କିଏ ଠିକ ଓ କିଏ ଭୁଲ ଏବେ ଏ ନେଇ ଦ୍ବନ୍ଦ୍ବ ଉପୁଜିଛି
![](https://www.odishalink.com/wp-content/uploads/2021/04/Utkala-Dibasa-750x430.jpg)
ଭୁବନେଶ୍ବର: ଉତ୍କଳ ଦିବସକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭାଜିତ ହୋଇଯାଇଛନ୍ତି। ଏହି ଦିବସକୁ ରାଜ୍ୟ ଓ କେନ୍ଦ୍ର ଭିନ୍ନ ଭିନ୍ନ ନାମରେ ପାଳନ କରୁଥିବା ବେଳେ କିଏ ଠିକ ଓ କିଏ ଭୁଲ ଏବେ ଏ ନେଇ ଦ୍ବନ୍ଦ୍ବ ଉପୁଜିଛି।
ଏପ୍ରିଲ ୧ ତାରିଖ, ଏହିଦିନ ଓଡ଼ିଶାର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ଗଠନ ହୋଇଥିଲା। ତେବେ ଉତ୍କଳୀୟ ଅସ୍ମିତା ଓ ଉତ୍କଳ ସମ୍ମିଳନୀର ଉଦ୍ୟମକୁ ସମ୍ମାନ ଜଣାଇ ଏହି ଦିବସକୁ ୮ ଦଶନ୍ଧିରୁ ଅଧିକ ସମୟ ଧରି ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏହା ସ୍ବୀକୃତ ହୋଇସାରିଛି। ଉତ୍କଳ କହିଲେ ଏହା କେବଳ ଓଡ଼ିଶା ବା କୌଣସି ଭୌଗୋଳିକ ଭୂଖଣ୍ଡକୁ ବୁଝାଉନାହିଁ। ବରଂ ବିଶ୍ବର ଯେକୌଣସି କୋଣରେ ଥିବା ପ୍ରତିଟି ଓଡ଼ିଆଙ୍କୁ ଏକାଠି ଯୋଡ଼ିବାର ଏକ ବନ୍ଧନସୂତ୍ର ପାଲଟିଛି ‘ଉତ୍କଳ’।
ତେବେ ବିଗତ କିଛି ବର୍ଷ ଧରି ଓଡ଼ିଶା ସରକାର ଏହି ଦିବସଟିକୁ ‘ଉତ୍କଳ ଦିବସ’ ପରିବର୍ତ୍ତେ ଓଡ଼ିଶା ଦିବସ ଭାବେ ପାଳନ କରି ଆସୁଛନ୍ତି। ଏ ନିଷ୍ପତ୍ତି ଅତ୍ୟନ୍ତ ଚତୁରତାର ସହ ନିଆଯାଇଛି। ଏଥିପାଇଁ କୌଣସି କ୍ୟାବିନେଟ୍ ବୈଠକ ହୋଇନାହିଁ, କି ଏ ବାବଦରେ ବିଧାନସଭାରେ ଆଲୋଚନା କରାଯାଇନାହିଁ, ଅଥବା ବିଜ୍ଞମାନଙ୍କର ପରାମର୍ଶ ମଧ୍ୟ ନିଆଯାଇନାହିଁ। ଏ ନେଇ ରାଜ୍ୟ ସାରା ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ କାହାକୁ ସନ୍ତୁଷ୍ଟ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ୁନାହିଁ।
ଆଜି ବିଭିନ୍ନ ଖବରକାଗଜରେ ଦିଆଯାଇଥିବା ସରକାରୀ ବିଜ୍ଞାପନରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜିର ଦିନକୁ ‘ଓଡ଼ିଶା ଦିବସ’ ଭାବେଉଲ୍ଲେଖ କରିଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସମାନ କଥା ଲେଖାଯାଇଛି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କର ସୋସିଆଲ୍ ମିଡିଆରେ ମଧ୍ୟ ‘ଓଡ଼ିଶା ଦିବସ’ ବୋଲି ହିଁ ଆଜିର ଦିନକୁ ଉଲ୍ଲେଖ କରିଛନ୍ତି।
ଅନ୍ୟପଟେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ରରେ ସାମ୍ବିଧାନିକ ପଦରେ ଥିବା ବହୁ ବ୍ୟକ୍ତି ଆଜିର ଦିନକୁ ‘ଉତ୍କଳ ଦିବସ’ ଭାବେ ଉଲ୍ଲେଖ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.