ଦଣ୍ଡ ନାଚ ପାଇଁ କଟକଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ପଣା ସଂକ୍ରାନ୍ତିକୁ ଆଉ ମାତ୍ର ୧୧ ଦିନ ବାକି ଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଣ୍ଡ ନାଚ ନେଇ କଟକଣାକୁ ଆହୁରି ଶକ୍ତ କରିଦେଇଛି।
ଜିଲ୍ଲା ପ୍ରଶାସନ ଅନୁସାରେ ଏଣିକି ଗଂଜାମ ଦଣ୍ଡନାଚରେ ୨୫ ଜଣଙ୍କୁ ଅନୁମତି ମିଳିବ। ମା’ ତାରାତାରିଣୀ ମନ୍ଦିରରେ ମୁଣ୍ଡନ କାର୍ଯ୍ୟ ହୋଇପାରିବ ନାହିଁ। ସେହିଭଳି ଦୋକାନୀମାନଙ୍କୁ ସାମାଜିକ ଦୂରତା ପାଇଁ ପଞ୍ଚସୂତ୍ର ଗାଇଡଲାଇନ୍ ପାଳନ କରିବାକୁ ହେବ। ଜିଲ୍ଲାର ଗଣପର୍ବ ଦଣ୍ଡନାଚ ପାଳନ ନେଇ ଜିଲ୍ଲା ପ୍ରଶାସନ ଏସ୍ଓପି ଜାରି କରିଛି।
କରୋନା ଗାଇଡଲାଇନ ପାଳନ ସହ କଡ଼ା କଟକଣା ମଧ୍ୟରେ ଦଣ୍ଡନାଚ ପାଳନ କରାଯିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରିଛି। ଦଣ୍ଡନାଚ ସମୟରେ ଅପେରା, ଯାତ୍ରା, ଡିଜେ, ଡାକବାଜି ଯନ୍ତ୍ର, ମେଳା, ନୃତ୍ୟ, ଗୀତ, ଭିଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଦଣ୍ଡନାଚରେ କେବଳ ପ୍ରଥା ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ। ଯେଉଁ ଗ୍ରାମରେ ମେରୁ ଓ କଳସ ଯାତ୍ରା ସମ୍ପନ୍ନ ହେବ, ସେଥିରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ।
ମନ୍ଦିର ଓ ଧାର୍ମିକସ୍ଥଳରେ କେବଳ ଠାକୁରଠାକୁରାଣୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ ଏବଂ କୌଣସି ପରିସ୍ଥିତିରେ ସେଠାରେ ୧୦ରୁ ଅଧିକ ଲୋକ ରୁଣ୍ଡ ହୋଇପାରିବେ ନାହିଁ। ଏହି ସମୟରେ ସମସ୍ତ ଭକ୍ତ ଓ ଦଣ୍ଡୁଆ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମୁହଁରେ ମାସ୍କ୍ ପିନ୍ଧିବେ ଓ ହାତକୁ ସାନିଟାଇଜ୍ କରିବେ।
Comments are closed.