ସାରଳା ସମ୍ମାନ: ମୁହଁ ଖୋଲିଲେ କବି ରାଜେଂଦ୍ର କିଶୋର ପଂଡା
ସାରଳା ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଶ୍ରୀ ପଂଡା। ୨୦୧୭ରେ ସେ ଶାରଳା ପୁରସ୍କାର ମଧ୍ୟ ଗ୍ରହଣ କରିନଥିଲେ।

ଭୁବନେଶ୍ବର: ଚଳିତ ବର୍ଷ ସମ୍ମାନଜନକ ‘ସାରଳା ସମ୍ମାନ’ ବରିଷ୍ଠ କବି ରାଜେଂଦ୍ର କିଶୋର ପଂଡା ପାଇବେ ବୋଲି କଟକସ୍ଥିତ ସାରଳା ସାହିତ୍ୟ ସଂସଦ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା। ସଂସଦର ୪୦ତମ ବାର୍ଷିକ ଉତ୍ସବରେ ଏପ୍ରିଲ ୨ ତାରିଖରେ ଏ ସମ୍ମାନ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା। ନିମନ୍ତ୍ରଣ ପତ୍ରରେ ମଧ୍ୟ ‘ସାରଳା ସମ୍ମାନ’ ଦିଆଯିବ ବୋଲି ଉଲ୍ଲେଖ ଥିଲା। ଏପ୍ରିଲ ୨ରେ କଟକର ସାରଳା ଭବନରେ ସଭା ହେଲା। ଅତିଥି ଭାବେ ଦେଶର ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଏ ଉତ୍ସବରେ ‘ସାରଳା ସମ୍ମାନ’ ପ୍ରଦାନ କରାଗଲାନାହିଁ ଅଥବା ଏ ନେଇ କୌଣସି ସୂଚନା ଦିଆଗଲାନାହିଁ।
ସାରଳା ସମ୍ମାନ ପାଇଁ ଯୋଗ୍ୟ ବିବେଚିତ କବି ଶ୍ରୀ ପଣ୍ଡାଙ୍କ ଏକ କବିତାଂଶ ନେଇ ସାମାଜିକ ଗଣମାଧ୍ୟମରେ ବିରୋଧ ହେତୁ ସଂସଦ ଚାପଗ୍ରସ୍ତ ହୋଇ ଏ ପୁରସ୍କାର ପ୍ରଦାନ କଲେନାହିଁ ବୋଲି ଚର୍ଚ୍ଚା ହେଉଥିଲେ ହେଁ ଏଯାବତ୍ ସଂସଦ ପକ୍ଷରୁ ପୁରସ୍କାର ବାବଦରେ କୌଣସି ନୂଆ ସୂଚନା ଦିଆଯାଇନାହିଁ।
ଅନ୍ୟପଟେ ସାରଳା ସମ୍ମାନ ପାଇବାକୁ ଥିବା ବରିଷ୍ଠ କବି ଶ୍ରୀ ପଣ୍ଡା ଏ ନେଇ ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏପ୍ରିଲ ୨ର କାର୍ଯ୍ୟକ୍ରମ ବାତିଲ ହେଲା ବୋଲି ଏହାର ୫ ଦିନ ପୂର୍ବରୁ ତାଙ୍କୁ ସଂସଦ ପକ୍ଷରୁ ସୂଚନା ଦିଆଯାଇଥିବା ଶ୍ରୀ ପଣ୍ଡା ଜଣାଇଛନ୍ତି। ଏପରିକି ୧୫ ଦିନରୁ ମାସେ ଭିତରେ ଉତ୍ସବ କରାଯାଇ ତାଙ୍କୁ ସାରଳା ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦର ସଭାପତି ପ୍ରଭାକର ସ୍ବାଇଁ ଓ ଉପଦେଷ୍ଠା ସହଦେବ ସାହୁ ତାଙ୍କୁ କହିଥିବା କଥା ଉଲ୍ଲେଖ କରିଛନ୍ତି। ଏପ୍ରିଲ ୨ରେ ପୂର୍ବ ନିର୍ଦ୍ଧାରିତ ସମୟରେ ଓ ଅତିଥିଙ୍କୁ ନେଇ ଉତ୍ସବ ହେଲେ ହେଁ ଏଥିରେ ସାରଳା ସମ୍ମାନ ବାବଦରେ ଆଦୌ ଉଲ୍ଲେଖ ନହେବା ଓ ସମ୍ମାନ କେବେ ଦିଆଯିବ ସର୍ବସାଧାରଣରେ ସୂଚନା ନଦିଆଯିବା ତାଙ୍କୁ ବ୍ୟଥିତ କରିଛି। ଏଣୁ ସେ ‘ସରଳା ସମ୍ମାନ’ ପ୍ରତ୍ୟାଖ୍ୟାନ କଲେ ବୋଲି ନିଜ ଫେସବୁକ୍ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ରାଜେଂଦ୍ର କିଶୋର ପଂଡା।
ସୂଚନାଯୋଗ୍ୟ ୧୯୪୪ ମସିହା ଜୁନ୍ ୨୪ରେ ଝାରସୁଗୁଡ଼ାରେ ଜନ୍ମିତ କବି ଶ୍ରୀ ପଂଡା ପୂର୍ବରୁ ବହୁ ସମ୍ମାନଜନକ ପୁରସ୍କାର ଓ ସ୍ବୀକୃତି ଲାଭ କରିଛନ୍ତି। ୨୦୧୭ ମସିହାରେ ସେ ଇମ୍ଫା ପ୍ରଦତ୍ତ ‘ଶାରଳା ପୁରସ୍କାର’ ପ୍ରତ୍ୟାଖ୍ୟାନ କରିଥିଲେ। ଓଡ଼ିଶାରେ ଶାରଳା ପୁରସ୍କାର କହିଲେ ମୁଖ୍ୟତଃ ଇମ୍ଫା ଶିଳ୍ପ ସଂସ୍ଥା ପକ୍ଷରୁ ଦିଆଯାଉଥିବା ସମ୍ମାନକୁ ବୁଝାଏ। ବନଜ ଦେବୀଙ୍କ ସହ ମିଳିତଭାବେ ତାଙ୍କୁ ସେ ବର୍ଷ ଏହି ପୁରସ୍କାର ଦିଆଯିବାରୁ ଶ୍ରୀ ପଂଡା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ୨୦ରୁ ଅଧିକ କବିତା ପୁସ୍ତକର ଲେଖକ ଶ୍ରୀ ପଂଡା ପୂର୍ବରୁ ସାହିତ୍ୟ ଏକାଡେମି ପୁରସ୍କାର (୧୯୮୫), ଭାରତୀୟ ଭାଷା ପରିଷଦ ସମ୍ମାନ (୧୯୮୯), ଝଙ୍କାର ପୁରସ୍କାର (୧୯୯୪), ବିଷୁବ ସମ୍ମାନ (୨୦୦୪) ଓ ସାହିତ୍ୟ ଭାରତୀ ସମ୍ମାନ (୨୦୦୫) ସମେତ ବହୁ ସମ୍ମାନ ଓ ପୁରରସ୍କାର ଲାଭ କରିଛନ୍ତି।
‘ସାରଳା ସମ୍ମାନ’ ନେଇ ତାଙ୍କର ଫେସବୁକ୍ ପୋଷ୍ଟ୍ର ଓଡ଼ିଆ ମର୍ମାନୁବାଦ ନିମ୍ନରେ ପ୍ରଦାନ କରାଗଲା
ପ୍ରଥମେ ଆଦିକବି ସାରଳା ଦାସଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି।
ସାରଳା ସାହିତ୍ୟ ସଂସଦ ସଭାପତି ଶ୍ରୀ ପ୍ରଭାକର ସ୍ବାଇଁ ଓ ବିଶେଷ କରି ଏହାର ଉପଦେଷ୍ଟା ଶ୍ରୀ ସହଦେବ ସାହୁଙ୍କ ଅନୁରୋଧରେ ମୁଁ ୨୦୨୧ ଏପ୍ରିଲ ୨ରେ ସଂସଦର ୪୦ତମ ବାର୍ଷିକ ଉତ୍ସବ ଅବସରରେ ସାରଳା ସମ୍ମାନ ଗ୍ରହଣ ପାଇଁ ରାଜି ହୋଇଥିଲି। (ଆମର ପ୍ରଶାସନିକ ସେବା ସମୟରୁ ମୁଁ ସହଦେବ ସାହୁଙ୍କୁ ଖୁବ୍ ସମ୍ମାନ କରେ।)
ଉତ୍ସବର କିଛି ଦିନ ପୂର୍ବରୁ ମୋତେ କହାଗଲା କି ଉତ୍ସବରେ ମୋତେ ମାତ୍ର ଦୁଇ ମିନିଟ୍ କହିବ ଲାଗି ସୁଯୋଗ ରହିଛି। ପ୍ରତ୍ୟୁତ୍ତରରେ ମୁଖ୍ୟ କହିଥିଲି ଯେ କୌଣସି ଅସୁବିଧା ନାହିଁ କାରଣ କେବଳ ‘ଧନ୍ୟବାଦ’ ବ୍ୟତୀତ ଅଧିକ କିଛି ମୋର କହିବାର ନାହିଁ।
୨୦୨୧ ମାର୍ଚ୍ଚ ୨୯ରେ ମୋତେ ଜଣାଇଦିଆଗଲା ଯେ ଉତ୍ସବ ବାତିଲ ହେଲା। ସ୍ବତଃ ମୁଁ ମନେକଲି ସମ୍ଭବତଃ ଉପରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇଥିବ। ତେବେ ଖବରରୁ ଜାଣିବାକୁ ପାଇଲି ଉପରାଷ୍ଟ୍ରପତିଙ୍କ କଟକ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ହେଉଛି। ଯେତେବେଳେ ଏ ବାବଦରେ ମୁଁ ଜାଣିବାକୁ ଚାହିଁଲି, ସଂସଦର ଉପଦେଷ୍ଟା ଓ ସଭାପତି କହିଲେ ଯେ ପନ୍ଦରଦିନ କି ମାସେ ଭିତରେ ଭିନ୍ନ ଏକ ଉତ୍ସବ କରାଯାଇ ସାରଳା ସମ୍ମାନ ପ୍ରଦାନ କରାଯିବ।
ଜଣେ ବ୍ୟକ୍ତି ଭାବରେ ଶ୍ରୀ ଏମ୍ ଭେଙ୍କିୟା ନାଇଡୁ ଏତେ ଭଦ୍ର ଓ ସଭ୍ୟ, ସେ ଯେ ସାରଳା ସମ୍ମାନ ପ୍ରଦାନ ପାଇଁ ଅତିରିକ୍ତ ୫ ମିନିଟ ବିତାଇବାକୁ ମନା କରିଦେଇଥିବେ ଏ କଥା ତର୍କସାପେକ୍ଷ। ଅନୁରୂପ ଭାବେ ବିଶ୍ବଭୂଷଣ ହରିଚନ୍ଦନ, ତାଙ୍କ ସହ ମଞ୍ଚରେ ମୁଁ ପୁରସ୍କାର ଗ୍ରହଣ କରୁଥିବାର ଦେଖି, ଅବଶ୍ୟ ଖୁସି ହୋଇଥାଆନ୍ତେ। (ସେ ଯେବେ ମନ୍ତ୍ରୀ ଥିଲେ ତାଙ୍କ ସହ ମୁଁ ଉତ୍ତମ ସଦ୍ଭାବ ସହ କାମ କରିଥିଲି।) ଉତ୍ସବରେ ମଞ୍ଚାସୀନ ଅନ୍ୟ ଅତିଥିମାନେ ବି ଖୁସିହୋଇଥା’ନ୍ତେ।
ସବୁଠୁ ଅଜବ ଦିଗଟି ହେଲା: ସାରଳା ସାହିତ୍ୟ ସଂସଦ ପକ୍ଷରୁ କେହି ଜଣେ ବି ଏ ସଭାରେ ମୋ ନାମ ନେଲେନାହିଁ ଅଥବା ପରେ ଅନ୍ୟ ଏକ ଉତ୍ସବରେ ଏ ପୁରସ୍କାର ଦିଆଯିବ ବୋଲିଘୋଷଣା କଲେନାହିଁ। ବନ୍ଧୁମାନେ ମୋତେ ଏ ନେଇ ନାନାଦି ପ୍ରଶ୍ନ କରୁଛନ୍ତି। ‘ମୁଁ ଜାଣିନାହିଁ’ ବୋଲି ଉତ୍ତର ରଖୁଛି।
ମୁଁ ଜାଣେ ଏ ସବୁରେ ଶ୍ରୀ ସହଦେବ ସାହୁ ବଡ଼ ଲଜ୍ଜିତ ବୋଧକରୁଥିବେ। ଯଦି ସତରେ କିଛି ଚାପ ଥାଏ, ତେବେ ଏଭଳି ଚାପକୁ ସମ୍ଭାଳି ପାରୁନଥିବା ଓ ବିଶେଷ କରି ଉପରେ ମୁଁ ଉଲ୍ଲେଖ କରିଥିବା ଅସୌଜନ୍ୟ ପ୍ରଦର୍ଶନ କରିଥିବା ଏଭଳି ସଂସଦ ଠାରୁ ପୁରସ୍କାର ଗ୍ରହଣ କରିବା ମୋ ପକ୍ଷରେ ସମ୍ଭବ ନୁହେଁ।
ମୋତେ ସମ୍ମାନ ପ୍ରାପକ ଭାବେ ଚୟନ କରିଥିବାରୁ ସାରଳା ସାହିତ୍ୟ ସଂସଦ, ଶ୍ରୀ ସାହୁ ଓ ଶ୍ରୀ ସ୍ବାଇଁଙ୍କୁ ମୋର ଧନ୍ୟବାଦ। ଦୁଃଖର ସହ ଜଣାଉଛି ଯେ ମୁଁ ସାରଳା ସମ୍ମାନ ଗ୍ରହଣ କରିବାକୁ ଅସମର୍ଥ। ସେମାନଙ୍କୁ ମୋର ଶୁଭେଚ୍ଛା।
ରାଜେଂଦ୍ର କିଶୋର ପଂଡା
୪ ଏପ୍ରିଲ ୨୦୨୧, ଫେସବୁକ୍
Comments are closed.