ସନ୍ଧ୍ୟା ୫ଟାରେ କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ। ଏଥିସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି।
ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ସେ ଆଲୋଚନା କରିବେ। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ପୁଣି ୫୮୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସ୍ଥାନୀୟ ସଂସ୍ପର୍ଶରେ ଆସି ୨୪୬ ଜଣ ସଂକ୍ରମିତ ହୋଇଥିବାବେଳେ ୩୪୨ ଜଣ କ୍ବାରାଣ୍ଟିନରେ ରହିଥିଲେ।
ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୧, ଭଦ୍ରକରୁ ୯ ଜଣ, ବଲାଙ୍ଗିରରୁ ୧୧ ଜଣ, କଟକରୁ ୩୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୩୧ ଜଣ, କଳାହାଣ୍ଡିରୁ ୬୪ ଜଣ, କନ୍ଧମାଳରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରୁ ୨ ଜଣ, କୋରାପୁଟରୁ ୯ ଜଣ, ମୟୂରଭଞ୍ଜରୁ ୯ ଜଣ, ନବରଙ୍ଗପୁରରୁ ୮ ଜଣ, ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୨୯ ଜଣ, ପୁରୀରୁ ୨୪ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୨୮ ଜଣ, ସୋନପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୮୪ ଜଣ ଓ ଷ୍ଟେଟ୍ ପୁଲରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬କୁ ବୃଦ୍ଧି ପାଇଛି। ୩ ଲକ୍ଷ ୩୮ ହଜାର ୧୫୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୯୨୨ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାର ୩୭୩୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି।