Odisha Link
Bridging the Missing Links in Odisha

ଟିଟିପିଏସ୍ ବନ୍ଦ ପ୍ରତିବାଦରେ ଅନୁଗୁଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଅନୁଗୁଳ: ଆଜି ଅନୁଗୁଳରେ ୧୨ ଘଣ୍ଟିଆ ବନ୍ଦ। ଟିଟିପିଏସ ବନ୍ଦ ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେଡି। ତେବେ ଜିଲ୍ଲାର ସମସ୍ତ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ଗାଡିମଟର ଚାଲୁନଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ବନ୍ଦା କରିବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛି ଦଳ।

ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ପ୍ରଦୂଷଣର ଆଳ ଦେଖାଇ ବନ୍ଦ କରିଦିଆଗଲା, ତାହା ଓଡିଶା ପାଇଁ ଦୁର୍ଭାଗ୍ୟଜନକ ଅଟେ। ଯାହାଫଳରେ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ରୋଜଗାର ହରାଇଛନ୍ତି।

ଟିଟିପିଏସ ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ ତଥ୍ୟ ପ୍ରଦାନ କରାଯାଉ ନାହିଁ କି କାମରେ ଅଗ୍ରଗତି ମଧ୍ୟ କରାଯାଉ ନାହିଁ। ତରବରିଆ ଭାବରେ ଏଭଳି ଟିଟିପିଏସ୍ ବନ୍ଦକୁ ତୀବ୍ର ବିରୋଧ କରିଛି ବିଜେଡି। ଟିଟିପିଏସର ଚାଲିବା ପାଇଁ ସମସ୍ତ ସୁବିଧା ଥିଲା, ହେଲେ ଏନଟିପିସି କର୍ତ୍ତୃପକ୍ଷ ପ୍ରଦୂଷଣ ମଞ୍ଜୁରୀ ବାହାନା କରି ଏହାକୁ ବନ୍ଦ କରି ଦେଇଛନ୍ତି।

ବନ୍ଦ ପଛରେ ବଡ଼ ଧରଣର ଚକ୍ରାନ୍ତ ଥିବା ଗନ୍ଧ ବାରିଛି ବିଜେଡି। କେନ୍ଦ୍ର ସରକାର ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାର ଚକ୍ରାନ୍ତ କରୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଉଛି। ଏହାର ପ୍ରତିବାଦରେ ଅନୁଗୁଳ ବନ୍ଦ ଡାକରା ଦିଆଯିବା ସହ ଟାୟାର ଜାଳି ବନ୍ଦ ପାଳନ କରୁଛନ୍ତି ଆନ୍ଦୋଳନକାରୀ।

Leave A Reply

Your email address will not be published.