ଛତିଶଗଡ଼ ଶହୀଦଙ୍କୁ ଅପମାନ: ଦେଶଦ୍ରୋହ ମାମଲାରେ ଗିରଫ ହେଲେ ଲେଖିକା
"ଦରମାପ୍ରାପ୍ତ ବୃତ୍ତିଧାରୀ ବ୍ୟକ୍ତି କର୍ତ୍ତବ୍ୟରେ ଥିବାବେଳେ ମୃତ୍ୟୁବରଣ କଲେ ଶହୀଦ ବୋଲି ବିବେଚନା କରାଯାଇ ପାରିବନାହିଁ।"
![](https://www.odishalink.com/wp-content/themes/publisher/images/default-thumb/publisher-lg.png)
ଗୌହାଟୀ: ଛତିଶଗଡ଼ରେ ନକ୍ସଲ ସହ ଗୁଳିବିନିମୟ ବେଳେ ପ୍ରାଣ ହରାଇଥିବା ଶହୀଦ ଯବାନଙ୍କ ପ୍ରତି ଆପତ୍ତିଜନ ମନ୍ତବ୍ୟ ଦେବା ଅଭିଯୋଗରେ ଆସାମର ଜଣେ ଲେଖିକାଙ୍କୁ ଗିରଫ କରାଯାଇଛି। ଲେଖିକାଙ୍କର ଏକ ଫେସବୁକ୍ ପୋଷ୍ଟ ଆଧାରରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।
ଗୌହାଟୀରେ ରହୁଥିବା ଲେଖିକାଙ୍କ ନାମ ଶିଖା ଶର୍ମା। ଏପ୍ରିଲ ୫ ତାରିଖରେ ସେ ଏକ ଫେସବୁକ୍ ପୋଷ୍ଟରେ ଲେଖିଥିଲେ ଯେ- “ଦରମାପ୍ରାପ୍ତ ବୃତ୍ତିଧାରୀ ବ୍ୟକ୍ତି କର୍ତ୍ତବ୍ୟରେ ଥିବାବେଳେ ମୃତ୍ୟୁବରଣ କଲେ ସେମାନଙ୍କୁ ଶହୀଦ ବୋଲି ବିବେଚନା କରାଯାଇ ପାରିବନାହିଁ। ସେମିତି ଦେଖିଲେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରୁଥିବା ବିଜୁଳି ବିଭାଗ କର୍ମଚାରୀଙ୍କୁ ଶହୀଦ କହାଯିବା କଥା। ହେ ଗଣମାଧ୍ୟମ, ଏମିତି କରି ଜନତାଙ୍କୁ ଭାବପ୍ରବଣ କରନାହିଁ।”
ଏ ପୋଷ୍ଟ ଆଧାରରେ ଛତିଶଗଡ଼ ଶହୀଦଙ୍କୁ ଅପମାନ କରିବା ଅଭିଯୋଗରେ ମଙ୍ଗଳବାର ଦିନ ଶିଖା ଶର୍ମାଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗୌହାଟୀ ପୁଲିସ କମିଶନର ମୁନ୍ନା ପ୍ରସାଦ ଗୁପ୍ତା। ଶର୍ମା ଫେସବୁକ୍ରେ ପୋଷ୍ଟ କରିବା ପରେ ସେଠାରେ ପ୍ରଥମେ ସମାଲୋଚନାର ଶିକାର ହୋଇଥିଲେ। ପରେ ସେହିଦିନ ଗୌହାଟୀ ହାଇକୋର୍ଟର ୨ ଜଣ ଆଇନଜୀବୀ ତାଙ୍କ ବିରୋଧରେ ଦିସପୁର ଥାନାରେ ମାମଲା କରିଥିଲେ।
ଏପ୍ରିଲ ୨ ତାରିଖରେ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ୪ ଘଣ୍ଟା ବ୍ୟାପି ନକ୍ସଲଙ୍କ ସହ ଗୁଳି ବିନିମୟ ବେଳେ ୨୨ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ଗତ ଚାରିବର୍ଷ ଭିତରେ ଏହା ନକ୍ସଲମାନଙ୍କର ସବୁଠୁ ବଡ଼ ପ୍ରତିଘାତ ଥିଲା।