ସୁନ୍ଦରୀ ପ୍ରତିଯୋଗିତା: ବିଜେତାଙ୍କୁ ‘ଛାଡ଼ୁରୀ’ କହିଲେ, ମୁକୁଟ ଛଡ଼ାଇନେଲେ
ଏ ଘଟଣା ପରେ ପୁଷ୍ପିକା କାନ୍ଦକାନ୍ଦ ହୋଇ ମଞ୍ଚରୁ ଚାଲିଆସିଥିଲେ ଓ ଜୁରୀ ମୁକୁଟକୁ ରନର୍ସଅପ୍ ମୁଣ୍ଡରେ ରଖିଥିଲେ। ଛାଡ଼ପତ୍ର ନେଇଥିବା ମହିଳା ଏ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ ବୋଲି ନିୟମ ଥିବା କହିଥିଲେ ଜୁରୀ।
ବ୍ୟୁରୋ: ସୁନ୍ଦରୀ ପ୍ରତିଯୋଗିତା ମଞ୍ଚରେ ଦେଖିବାକୁ ମିଳିଛି ଅଭାବନୀୟୟ ଘଟଣା। ବିଜୟିନୀଙ୍କୁ ‘ଛାଡ଼ୁରି’ ବୋଲି ଆକ୍ଷେପ କରିବା ସହ ତାଙ୍କ ମୁଣ୍ଡ ଉପରୁ ମୁକୁଟ ଛଡ଼ାଇ ନେଇଛନ୍ତି ପୂର୍ବତନ ବିଜେତା। ଏ ନେଇ ଆୟୋଜକ କ୍ଷମା ମାଗିଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁକୁଟ ବିଜୟିନୀ।
ଘଟଣା ଘଟିଛି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ। ରବିବାର ଦିନ ଶ୍ରୀମତୀ ଶ୍ରୀଲଙ୍କା (ମିସେସ୍ ଶ୍ରୀଲଙ୍କା) ଚୂଡ଼ାନ୍ତ ମଞ୍ଚରେ ପୁଷ୍ପିକା ଡି ସିଲ୍ଭାଙ୍କୁ ବିଜୟିନୀ ଘୋଷଣା କରାଯାଇଥିଲା। ତାଙ୍କୁ ବିଜୟ ମୁକୁଟ ପିନ୍ଧାଯିବା ପରେ ପରେ ୨୦୧୯ର ଶ୍ରୀମତୀ ଶ୍ରୀଲଙ୍କା ବିଜେତା କାରୋଲିନ୍ ଜୁରୀ ମଞ୍ଚକୁ ଉଠି ଆସିଥିଲେ। ସେ ପୁଷ୍ପିକାଙ୍କୁ ‘ସ୍ବାମୀ ପରିତ୍ୟକ୍ତା’ ବୋଲି ସମ୍ବୋଧନ କରିବା ସହ ତାଙ୍କର ମୁକୁଟ ଛଡ଼ାଇ ନେଇଥିଲେ। ରନର୍ସଅପ୍ ବିଜେତା ଅସଲରେ ଏ ମୁକୁଟର ଅଧିକାରୀ ବୋଲି କହିଥିଲେ ଜୁରୀ।
ଏ ଘଟଣା ପରେ ପୁଷ୍ପିକା କାନ୍ଦକାନ୍ଦ ହୋଇ ମଞ୍ଚରୁ ଚାଲିଆସିଥିଲେ ଓ ଜୁରୀ ମୁକୁଟକୁ ରନର୍ସଅପ୍ ମୁଣ୍ଡରେ ରଖିଥିଲେ। ଛାଡ଼ପତ୍ର ନେଇଥିବା ମହିଳା ଏ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ ବୋଲି ନିୟମ ଥିବା କହିଥିଲେ ଜୁରୀ।
ପରେ ଏ ନେଇ ସ୍ପଷ୍ଟୀକରଣ ଦେବା ସହ ପୁଷ୍ପିକାଙ୍କୁ କ୍ଷମା ମାଗିଛନ୍ତି ଆୟୋଜକ ଅନୁଷ୍ଠାନ ମିସେସ୍ ଶ୍ରୀଲଙ୍କା ଓ୍ବାର୍ଲଡ ଜାତୀୟ ନିର୍ଦ୍ଦେଶକ ଚଣ୍ଡିମାଲ ଜୟସିଙ୍ଘେ। ପୁଷ୍ପିକା ନିଜ ପତିଙ୍କ ଠାରୁ ଅଲଗା ରହୁଥିଲେ ବି ଏଯାଏଁ ଛାଡ଼ପତ୍ର ଦେଇନାହାନ୍ତି ବୋଲି ଜୟସିଙ୍ଘେ କହିଛନ୍ତି। ଜୁରୀଙ୍କର ବ୍ୟବହାର ଦୁର୍ଭାଗ୍ୟଜନକ ଓ ଏ ନେଇ ତାଙ୍କ ସଂଗଠନ ତଦନ୍ତ କରୁଥିବା ସେ ଜଣାଇଛନ୍ତି।
ଅନ୍ୟପଟେ ଏ ଘଟଣା ନେଇ ଅଭିଯୋଗ ହେବା ପରେ ପୁଲିସ ଉଭୟ ଜୁରୀ ଓ ଜୟସିଙ୍ଘେଙ୍କୁ ପଚରାଉଚରା କରିଛି। ମୁଣ୍ଡରେ ଆଘାତ ପାଇଥିବା ଦର୍ଶାଇ ପୁଷ୍ପିକା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସୁସ୍ଥ ହେବା ପରେ ଏ ଘଟଣା ନେଇ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ମିସେସ୍ ଶ୍ରୀଲଙ୍କା ମୁକୁଟକୁ ସେ ତାଙ୍କ ଦେଶରେ ଥିବା ସମସ୍ତ ଏକାକୀ ମା’ମାନଙ୍କୁ ସମର୍ପିତ କରିଛନ୍ତି।