ଦୂର ହେବ ସମସ୍ୟା, ଅପରାହ୍ନରେ ଟିଟିଲାଗଡ ରେଳ ଓଭରବ୍ରିଜ ଉଦଘାଟନ୍ କରିବେ ମୁଖ୍ୟମନ୍ତ୍ରୀ
ଏହି ବ୍ରିଜ ଓଡ଼ିଶା ରାଜ୍ୟ ସରକାରଙ୍କ ଓ ଭାରତୀୟ ରେଳ ବିଭାଗ ତରଫରୁ ମିଳିତ ଭାବେ ନିର୍ମିତ ହୋଇଛି
ବଲାଙ୍ଗିର: ଟିଟଲାଗଡ଼ ବାସୀଙ୍କ ପାଇଁ ଖୁସି ଖବର। ଦୂର ହେବ ବହୁ ଦିନର ସମସ୍ୟା। ଗମନାଗମନ ସମସ୍ୟାକୁ ନେଇ ବହୁ ଦିନରୁ ଦାବି ହୋଇ ଆସୁଥିବା ବେଳେ ଆଜି ଅପରାହ୍ନରେ ଟିଟିଲାଗଡ଼ ରେଳ ଓଭରବ୍ରିଜ୍ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ରେ ଭିଡିଓ କନଫରେନ୍ସିଂରେ ଏହାକୁ ଲୋକାର୍ପଣ କରିବେ ବୋଲି ସୂଚନା ରହିଛି।
ଏନେଇ ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ। ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଓଡିଶାର ଏକ ପ୍ରମୁଖ ତଥା ବ୍ୟସ୍ଥତମ ରେଳ ଜଙ୍କସନ୍ ଭାବେ ପରିଚିତ ଟିଟିଲାଗଡ ରେଳ ଷ୍ଟେସନ ବେଶ ଜଣାଶୁଣା। ଏଠାରୁ ରାୟପୁର – ବିଶାଖାପାଟଣା , ଝାରସୁଗୁଡା – ବିଶାଖାପାଟଣା ସହିତ ଦେଶର ସମସ୍ତ ରାଜ୍ୟକୁ ଟିଟିଲାଗଡ ରେଳ ଷ୍ଟେସନର ଯୋଗାଯୋଗ ରହିଛି। ବର୍ତ୍ତମାନ ଟିଟିଲାଗଡ ଠାରେ ତୃତୀୟ ରେଳ ଲାଇନର ନିର୍ମାଣ କାର୍ଯ୍ୟ ଜାରୀ ରହିଛି ତଥା କେତେକାଂଶରେ ସଂପୂର୍ଣ୍ଣ ମଧ୍ୟ ହୋଇସାରିଛି। ପ୍ରତ୍ୟେହ ଏହି ରେଳ ରାସ୍ତାରେ ଶତାଧିକ ଯାତ୍ରୀ ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ ଯାତାୟାତ କରିଥାଏ।
ଏଥିସହ ୫୯ ନମ୍ବର ଜାତୀୟ ରାଜପଥ ଟିଟିଲାଗଡ ସହର ମଧ୍ୟ ଦେଇ ଯାଇଥିବାରୁ ଏହି ଓଭର ବ୍ରିଜ ନିର୍ମାଣ ଏକ ଆହ୍ବାନ ସଦୃଶ ଥିଲା । କେସିଙ୍ଗା , ଭବାନିପାଟଣା , ନୂଆପଡ଼ା , କଣ୍ଟାବାଞ୍ଜି , ରାଜଖରିଆର ତଥା ଅନ୍ୟାନ୍ୟ ନିକଟତମ ସହରକୁ ଟିଟିଲାଗଡ଼କୁ ଯୋଗାଯୋଗ ରହିଛି । ଏହାଛଡ଼ା ରାଣିପୁର ଝରିଆଲ , ଟିଟିଲାଗଡର ପ୍ରସିଦ୍ଧ ଶୈବପୀଠ , କୁମୁଡା ପାହାଡ ଭଲି ଅନେକ ଐତିହାସିକ ତଥା ଦର୍ଶନୀୟ ସ୍ଥାନ ରହିଛି । ଏଣୁ ଏହି ସବୁ ସ୍ଥାନରୁ ଟିଟିଲାଗଡ ସହର କୁ ବର୍ଷତମାମ ଲକ୍ଷାଧିକ ଲୋକଙ୍କ ଆବାଗମନ ରହିଥାଏ । ଏହି ରେଳ ଓଭର ବ୍ରିଜ ହେବାଦ୍ବାରା ଜନସାଧାରଣଙ୍କୁ ଗମନା ଗମନରେ ପୂର୍ବରୁ ହେଉଥିବା ଅସୁବିଧା ଆଉ ହେବ ନାହିଁ ବୋଲି ସେ କହିଛିନ୍ତି।
ଏହି ବ୍ରିଜ ଓଡିଶା ରାଜ୍ୟ ସରକାରଙ୍କ ଓ ଭାରତୀୟ ରେଳ ବିଭାଗ ତରଫରୁ ମିଳିତ ଭାବେ ନିର୍ମିତ ହୋଇଛି। ଏହି ରେଳ ଓଭର ବ୍ରିଜ ଦୀର୍ଘ ୧୦୪୫ ମିଟର ଲମ୍ବା ଏହି ଓଭରବ୍ରିଜ ନିର୍ମାଣ ପାଇଁ ଓଡିଶା ସରକାରଙ୍କ ଦ୍ଵାରା ୩୮.୪୩ କୋଟି ଟଙ୍କାର ଅନୁଦାନ ଦିଆଯାଇଛି ଏବଂ ଭାରତୀୟ ରେଳ ବିଭାଗ ତରଫରୁ ୩୩.୧୬ କୋଟି ଟଙ୍କାର ଅନୁଦାନ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।