ଅମାନିଆଙ୍କୁ ଧରିବ ସିସିଟିଭି: ଡିସିପି
ଭୁବନେଶ୍ୱର: ରାଜ୍ୟରେ ପୁଣି ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନତା କରି ଆସୁଛନ୍ତି। ହେଲେ କିଛି ଅମାନିଆ ଏବେ ବି ବିନା ମାସ୍କ ଓ ସାମାଜିକ ଦୂରତାରେ ଯାତାୟତ କରି ପ୍ରଶାସନର କଟକଣାକୁ ଫୁ’ କରି ଉଡ଼ାଇଦେଉଛନ୍ତି।
ଏଥର କୋଭିଡ଼୍ ଅମାନିଆଙ୍କୁ ସାବାଡ଼ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଏଣିକି ସିସିଟିଭି ଆଧାରରେ ଅମାନିଆ ଲୋକଙ୍କ ଠାରୁ ଫାଇନ୍ କାଟିବ ପୋଲିସ। ନିୟମ ଉଲ୍ଲଂଘନ ହେଉଥିଲେ ସିସିଟିଭି ଆଧାରରେ ପୋଲିସ ସେଠାରେ ପହଞ୍ଚି କଡ଼ା କାର୍ଯ୍ୟାନୁଷ୍ଠାନ ନେବ।
ନୂଆ ନିୟମ ଅନୁସାରେ ଫାଇନ୍ କଟାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ତେବେ ମାସ୍କ ଅମାନିଆଙ୍କ ପାଇଁ ଜରିମାନା ପରିମାଣ ବଢ଼ାଇଛନ୍ତି ରାଜ୍ୟ ସରକାର। ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ ।
ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଏଣିକି ରାଜ୍ୟରେ ଜରିମାନା ଦୁଇଗୁଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।