ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା, ନିଲମ୍ବିତ ହେଲେ ୩ ଶିକ୍ଷକ
ଦେବଗଡ଼: ଓଟିଇଟି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଠାରୁ ମୋବାଇଲ୍ ଜବତ ମାମଲାରେ ତିନି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବନ ଆଦେଶ ଦେଇଛନ୍ତି ଦେବଗଡ ଡିଇଓ। ଦେବଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ଓ ଶିକ୍ଷକ ସୁଶାନ୍ତ ରାୟ ଏବଂ ସୁନାମୁଣ୍ଡା ହାଇସ୍କୁଲର ଶିକ୍ଷକ ବିଶ୍ବନାଥ କିଶାନ ନିଲମ୍ବିତ ହୋଇଛନ୍ତି। ଏପ୍ରିଲ ୯ରେ ହୋଇଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପୁଣିଥରେ ଲିକ୍ ହୋଇଥିବା ନେଇ ସୂଚନା ମିଳିଥିଲା।
ଦେବଗଡ଼ ପୌରାଞ୍ଚଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ମୋବାଇଲ୍ ଫୋନ୍ରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍ପି କରାଯିବା ସହିତ ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଥିଲା। ତେବେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖଣ୍ଡନ କରିଥିଲେ।
ପ୍ରକାଶ ଯେ, ଏପ୍ରିଲ ୯, ଶୁକ୍ରବାର ପୂର୍ବାହ୍ନ ୮ଟାରେ ପ୍ରଥମ ସିଟିଂ ପେପର-୧ ପରୀକ୍ଷା ଆରମ୍ଭ ହୋଇଥିଲା। ଘଣ୍ଟାଏ ନପୂରୁଣୁ ପ୍ରଶ୍ନପତ୍ର ଏବଂ ଉତ୍ତର ମୋବାଇଲ୍ରୁ ମୋବାଇଲ୍କୁ ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ସକାଳ ସାଢେ ୮ଟା ସମୟରେ ଏହି ପରୀକ୍ଷାକେନ୍ଦ୍ରରେ ପର୍ଯ୍ୟବେକ୍ଷକ ଏବଂ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ୍ ରାଉଣ୍ଡ ଚେକିଂ କରିବା ସମୟରେ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ରର ଫଟୋ ଉଠା ହୋଇଥିବା ଏକ ମୋବାଇଲ ଫୋନ୍ ଜବତ କରାଯାଇଥିଲା। ପରେ ଜବତ ମୋବାଇଲ୍ ଫୋନ୍କୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିଲା।
ଏହି ଘଟଣା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ୍ ଦାୟିତ୍ବରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମୁଦବନ୍ଧୁ ପୃଷ୍ଟିଙ୍କୁ ଦାୟିତ୍ବରୁ ପରିବର୍ତ୍ତନ କରାଯାଇ ସୁଗୁଡା ହାଇସ୍କୁଲର ପ୍ରଧାନଶିକ୍ଷକ ରାମେଶ୍ବର ନାୟକଙ୍କୁ କେନ୍ଦ୍ରର ନୂତନ ସୁପରିନ୍ଟେଣ୍ଡେଣ୍ଟ୍ ଦାୟିତ୍ବ ଦିଆଯାଇଥିଲା।
ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ତେବେ ପୋଲିସ ଏବଂ ବୋର୍ଡର ତନାଘନା ପରେ ପ୍ରଶ୍ନପତ୍ର ଲିକ୍ ହେବା ସ୍ପଷ୍ଟ ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି।