ବାଣୀବିହାରରେ କରୋନା: ୫ ଛାତ୍ର ପଜିଟିଭ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ମହଙ୍ଗା ପଡ଼ିବନି ତ ଆନ୍ଦୋଳନ? ଚିନ୍ତାରେ ଛାତ୍ରଛାତ୍ରୀ
![](https://www.odishalink.com/wp-content/uploads/2021/01/Utkal.jpg)
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିଛି କରୋନା ସଂକ୍ରମଣ। ଏପରିକି ଦିନକୁ ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବାରେ ଲାଗିଛି । ଉତ୍କଳ ବିଶ୍ବ ବିଦ୍ୟାଳୟର ୫ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କିଛି ହଷ୍ଟେଲ୍ରେ ରୁହନ୍ତି ତ ଅନ୍ୟ କିଛି ଜଣ ଡେ ସ୍କଲାର୍ ବୋଲି ସୂଚନା ରହିଛି।
ମିଳିଥିବା ସୂଚନା ମୁତାବିକ, ରସାୟନ ବିଜ୍ଞାନ ବିଭାଗରୁ ଦୁଇ ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଏମ୍ସିଏ ଓ ଅର୍ଥନୀତି ବିଭାଗରୁ ଜଣେ ଲେଖାଏ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଦୁଇ ଦିନ ତଳେ କ୍ୟାମ୍ପସ ଭିତରେ ଓ ବାହାରେ ହୋଇଥିବା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନର ନେତୃତ୍ବ ନେଉଥିବା କେତେଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେଣୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରଛାତ୍ରୀ ବି ଆକ୍ରାନ୍ତ ହୋଇପାରନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଅପରପକ୍ଷେ, ପଜିଟିଭ୍ ଚିହ୍ନଟ ହେବା ପରେ ହଷ୍ଟେଲ୍ ସାନିଟାଇଜ ହେବା ସହିତ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ସେହିପରି ଆସନ୍ତା କାଲି ଛାତ୍ରଛାତ୍ରୀଙ୍କର ସେମିଷ୍ଟର ପରୀକ୍ଷା ଆରମ୍ଭ ପୂର୍ବରୁ ବିଭାଗଗୁଡିକୁ ଭଲଭାବେ ସାନିଟାଇଜ୍ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।