ନୟାଗଡ଼: ରେଳ ଷ୍ଟେସନରେ ଆତଙ୍କରାଜ, ବ୍ୟାପକ ଭଙ୍ଗାରୁଜା ସହ ପୋଡ଼ାଜଳା କଲେ ଦୁର୍ବୃତ୍ତ
ଅସାମାଜିକ ଲୋକମାନେ ମଦ୍ୟପାନ କରିବା ସହ ନାନା ପ୍ରକାର ଚୋରି ଡକାୟତି ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ହୋଇ ଆସୁଛି।
ନୟାଗଡ଼: ନୟାଗଡ଼ ରେଳ ଷ୍ଟେସନ ପରିସରରେ ଦିନକୁ ଦିନ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଵିଶେଷ କରି ସନ୍ଧ୍ୟା ସମୟରେ ଅସାମାଜିକ ଲୋକମାନେ ମଦ୍ୟପାନ କରିବା ସହ ନାନା ପ୍ରକାର ଚୋରି ଡକାୟତି ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ହୋଇ ଆସୁଛି। ରେଳ ଷ୍ଟେସନରେ ବିଦ୍ୟୁତିକରଣ କାର୍ଯ୍ୟ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଏଠାରୁ ମୂଲ୍ୟବାନ ତମ୍ବାତାର ଚୋରି ହୋଇଥିଲା।
ଏସବୁ ମଧ୍ୟରେ ଗତକାଲି ରାତିରେ କିଛି ଅସାମାଜିକ ଯୁବକ ଷ୍ଟେସନ ପରିସରରେ ମଦ୍ୟପାନ କରୁଥିବା ବେଳେ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନ ଏହାକୁ ବାରଣ କରିଥିଲେ। ଏହାକୁ ନେଇ ମଦ୍ୟପାନ କରୁଥିବା ଯୁବକ ମାନେ ଷ୍ଟେସନ ମ୍ୟାନେଜରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏକ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଷ୍ଟେସନ ମ୍ୟାନେଜରଙ୍କୁ ରକ୍ଷା କରିବାକୁ ଯାଇ ରେଲୱେ ପୁଲିସର ୪ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏହାପରେ ଦୁର୍ବୃତ୍ତମାନେ ଷ୍ଟେସନ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଆସବାବପତ୍ର ଭଙ୍ଗାରୁଜା କରିବା ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ ପତ୍ରରେ ନିଆଁ ଲଗେଇ ଦେଇଥିଲେ। ତେବେ ଉପସ୍ଥିତ କର୍ମଚାରୀମାନେ ତୁରନ୍ତ ନିଆଁଲିଭା ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ ଫଳରେ ଏକ ବଡଧରଣର ଅଘଟଣରୁ କାର୍ଯ୍ୟାଳୟ ବର୍ତ୍ତିଯାଇଥିଲା।
ଷ୍ଟେସନ ମ୍ୟାନେଜରଙ୍କ ସମେତ ଆହତ ରେଳବାଇ ପୋଲିସ କର୍ମଚାରୀ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଏହି ଘଟଣାରେ ନୟାଗଡ଼ ପୋଲିସର କିଛି କର୍ମଚାରୀ ସମ୍ପୃକ୍ତ ଥିବା ଷ୍ଟେସନ ମ୍ୟାନେଜର ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିବା ବେଳେ ରେଳ ବିଭାଗ ପକ୍ଷରୁ ମଧ୍ୟ ଅନୁରୂପ ଅଭିଯୋଗ କରାଯାଇଛି।