କାଳବୈଶାଖୀ ଆଶଙ୍କା, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଏନେଇ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମାଲକାନାଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀରର କେତେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।ତିନି ଘଂଟା ମଧ୍ୟରେ ଏଭଳି ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ କାଳବୈଶାଖୀ ପବନ ହେବାର ବି ଆଶଙ୍କା ରହିଛି। ଏହାଛଡ଼ା କେତେକ ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।
୪ଟା ୩୦ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏକ ସତର୍କତାମୂଳକ ଚେତାବନୀ ଦିଆଯାଇଛି। ରାତି ୮ଟା ଭିତରେ ଏହି ସବୁ ଜିଲ୍ଲାରେ ବଜ୍ରପାତର ଆଶଙ୍କା ଥିବାରୁ ଲୋକମାନଙ୍କୁ ସତର୍କ କରିଦିଆଯାଇଛି । ନିହାତି କାମ ନଥିଲେ ଏହି ସମୟରେ ପଦାକୁ ନବାହାରିବାକୁ କୁହାଯାଇଛି। ଯଦି ସେଭଳି କିଛି କାର୍ଯ୍ୟ ଥାଏ ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।