Odisha Link
Bridging the Missing Links in Odisha

ବିଜେପିରେ ଯୋଗଦେବେ ଭର୍ତୃହରି!

ଭର୍ତୃହରି ବିଜେଡିରେ ଥାଇ ମଧ୍ୟ ଏବେ ଅଲୋଡ଼ା ବୋଲି ଅନୁଭବ କରୁଛନ୍ତି। ଅନ୍ୟପଟେ ଆଜି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କ ଏ ଉକ୍ତିର ଜବାବ ରଖି କୁହୁଳୁଥିବା ଭର୍ତୃହରି ପ୍ରସଙ୍ଗକୁ ଅଧିକ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବର: ବିଜୁ ଜନତା ଦଳ ସାଂସଦ ଭର୍ତୃହରି ମହତାବ ଭାରତୀୟ ଜନତା ଦଳ ଆଡ଼କୁ କ୍ରମଶଃ ଢଳୁଛନ୍ତି। ଏକଦା ବିଜେଡିର ଆଗଧାଡ଼ିର ନେତା ଭାବେ ଜଣାଶୁଣା ଭର୍ତୃହରି ଏବେ ଦଳ ପାଇଁ ପ୍ରାୟ ଅଲୋଡ଼ା ହେବା ପରି ମନେ ହେଉଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ପଦ୍ମ ପୋଖରୀକୁ ଲମ୍ଫ ମାରିବା ନେଇ ଅନୂମାନ କରାଯାଉଛି।

ବିଜେଡି ଟିକେଟରେ କଟକ ଲୋକସଭା ଆସନରୁ ନିରବଛିନ୍ନ ଭାବେ ୬ ଥର ନିର୍ବାଚିତ ହୋଇଥିବା ଭର୍ତୃହରିଙ୍କର ତର୍କରେ ସଂସଦ ଭାଗନେବାରେ ବେଶ୍‌ ସୁନାମ ରହିଛି। ୨୦୧୭ ମସିହାରେ ସେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିବା ବେଳେ ୨୦୧୭ ଠାରୁ ୨୦୨୦ ପର୍ଯ୍ୟନ୍ତ ଲଗାତାର ୪ ଥର ସଂସଦ ରତ୍ନ ସମ୍ମାନ ଲାଭ କରିଛନ୍ତି ଭର୍ତୃହରି। ସେ ଏବେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁ ନଥିବା ବେଳେ ନିକଟ ଅତୀତରେ ଅନୁଷ୍ଠିତ ଉୟହୋଇଥିବା ଓ ଆଗକୁ ହେବାକୁ ଥିବା ଉପନିର୍ବାଚନ ସବୁରେ ମଧ୍ୟ ତାଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଛି। ନିଜର ଖବରକାଗଜ ସ୍ତମ୍ଭ ମାଧ୍ୟମରେ ଖୋଲାଖୋଲି ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କ ପ୍ରତି ଅଙ୍ଗୁଳି ଉଠାଇ ଚର୍ଚ୍ଚାକୁ ଆସିଛନ୍ତି ଭର୍ତୃହରି। କଟକରେ ବସ୍‌ ଟର୍ମିନାଲ ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ଖବରକାଗରେ ସ୍ତମ୍ଭ ଲେଖି ଦଳକୁ ଅପଦସ୍ତ କରିଥିଲେ ମହତାବ।

ଏକଦା ଦଳ ପକ୍ଷରୁ ବିରୋଧୀ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁହଁତୋଡ଼ ଜବାବ ଦେଉଥିବା ଭର୍ତୃହରି ଘଟଣାକ୍ରମେ ଏବେ ଧର୍ମେନ୍ଦ୍ରଙ୍କର ନିକଟତର ହୋଇଛନ୍ତି। ବିଜେପି ନେତାଙ୍କ ପ୍ରତି ତାଙ୍କର ନିକଟତର ହେବାର ଏକାଧିକ ଉଦାହରଣ ନିକଟରେ ସାମନାକୁ ଆସିଛି। ଗତ ସପ୍ତାହରେ (ଏପ୍ରିଲ ୯) ଦିଲ୍ଲୀରେ ସ୍ବର୍ଗତ ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦ ପୁସ୍ତକ ଉନ୍ମୋଚନ ଅବସରରେ ଭର୍ତୃହରିଙ୍କ ସହ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିଥିଲା। ଅନୁରୂପ ଭାବେ ଗତକାଲି କଟକରେ ବିଷୁବ ମିଳନ ଅବସରରେ ମଧ୍ୟ ଭର୍ତ୍ୟହରି ଧର୍ମେନ୍ଦ୍ରଙ୍କୁ ମୁଖ୍ୟଅତିଥି କରିଥିଲେ।

ବିଷୁବ ମିଳନ ସଭାରେ ଧର୍ମେନ୍ଦ୍ର କହିଥିଲେ ଯେ ଭର୍ତୃହରିଙ୍କ ପ୍ରଜ୍ଞାକୁ ବିଜେଡି ଠିକରେ ବ୍ୟବହାର କରିନାହିଁ। ଭର୍ତୃହରି ଏ ସଭାରେ ଉପସ୍ଥିତ ଥାଇ ଏ ଉକ୍ତିର ନିରବ ସମର୍ଥକ ସାଜିଥିଲେ। ଏହି ଉକ୍ତି ହିଁ ସ୍ପଷ୍ଟ କରୁଛି, ଭର୍ତୃହରି ବିଜେଡିରେ ଥାଇ ମଧ୍ୟ ଏବେ ଅଲୋଡ଼ା ବୋଲି ଅନୁଭବ କରୁଛନ୍ତି। ଅନ୍ୟପଟେ ଆଜି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କ ଏ ଉକ୍ତିର ଜବାବ ରଖି କୁହୁଳୁଥିବା ଭର୍ତୃହରି ପ୍ରସଙ୍ଗକୁ ଅଧିକ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.