ଜମି ପଟ୍ଟା ଓ ଘର ଯୋଗାଇବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେବି: ଧର୍ମେନ୍ଦ୍ର
ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହି ବସ୍ତିର କିଛି ବସ୍ତିବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଭୁବନେଶ୍ୱରରେ ରହୁଥିବା ବସ୍ତି ବାସିନ୍ଦାଙ୍କ ସମସ୍ୟା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡ଼େକର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଆଲୋଚନା କରାଯିବ। ସହରର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇବା ସମସ୍ୟାର ସ୍ଥାୟୀ ତଥା ଏ ନେଇ କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ ସେ ନେଇ ଚେଷ୍ଟା କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ପ୍ରତିଷ୍ଠା ଦିବସରରେ ସବୁ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ, ରାଜ୍ୟର ରାଜଧାନୀର ଯେଉଁ ଅଂଚଳରେ ମୁଁ ରହିଛି, ସେହି ଅଞ୍ଚଳର ପ୍ରମୁଖ ବସ୍ତି ସାଲିଆ ସାହିର ଅନେକ ଲୋକ ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୋତେ ସାକ୍ଷାତ୍ କଲେ। ଏହି ସାକ୍ଷାତ୍ ସମୟରେ ସେମାନଙ୍କର ଦୀର୍ଘ ଦିନର ଦାବୀ ସେମାନଙ୍କୁ ସେହି ସ୍ଥାନର ସ୍ଥାୟୀ ପଟ୍ଟା, ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉଠାଇଲେ। ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦାମାନେ ଓଡ଼ିଶାର ନୂଆ ରାଜଧାନୀକୁ ସେମାନଙ୍କ ପରିଶ୍ରମର ଝାଳରେ ତିଆରି କରିଛନ୍ତି । ଆମେ ଭଲ ଘରେ ଓ ଭଲରେ ରହୁଛୁ,ଏଥିରେ ସେମାନଙ୍କର ବଡ଼ ଯୋଗଦାନ ରହିଛି।
ରାଜଧାନୀ ପ୍ରତିଷ୍ଠା ଦିବସ ସାଲିଆ ସାହି ସମେତ ରାଜଧାନୀରେ ଦୀର୍ଘ ଦିନରୁ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କ ବାସସ୍ଥାନ ପାଇଁ ସ୍ଥାୟୀ ଜମି ପଟ୍ଟା ଓ ଘର ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ହେବା ଦରକାର । ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡ଼େକର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ କଥା ହେବି । ଏହି ସମସ୍ୟାର ସ୍ଥାୟୀ ସମାଧାନ ତଥା କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ ତା’ ପାଇଁ ଚେଷ୍ଟା କରିବି” ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।