Odisha Link
Bridging the Missing Links in Odisha

ସୁଖୀ ଜୀବନ ନିମନ୍ତେ ଆତ୍ମିକତା କୈନ୍ଦ୍ରିକ ଚେତନା ଆବଶ୍ୟକ: ରାଜଶେଖର

ଭୁବନେଶ୍ୱର: ଏକ ସୁଖୀ ଜୀବନ ନିମନ୍ତେ ମନୁଷ୍ୟ କ’ଣ ଆବଶ୍ୟକ କରେ? ଜୀବନରେ ସୁଖପ୍ରାପ୍ତି ପ୍ରତ୍ୟେକ ମନୁଷ୍ୟର ଲକ୍ଷ୍ୟ ଏବଂ ଏହାକୁ ଉପଲବ୍ଧି କରିବା ନିମନ୍ତେ ମାନବ ସମାଜ ବିଭିନ୍ନ ମାର୍ଗର ଅନୁସରଣ କରିଥାଏ। ମାତ୍ର ପରସ୍ପର ସହ ଜଡ଼ିତ ତିନୋଟି ମାର୍ଗ, ଯଥା ବୃତିଗତ, ଆବେଗପୂର୍ଣ୍ଣ ଓ ଆତ୍ମିକ ଏହି ସୁଖ ଆଣି ଦେଇପାରେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅଫିସର-ଅନ-ସ୍ପେସିଆଲ ଡ୍ୟୁଟି ଭାବେ କାର୍ଯ୍ୟ କରୁଥିବା ସି. ରାଜଶେଖର କହିଛନ୍ତି।

ଆତ୍ମିକ ଚିନ୍ତାରେ ସଂଯୁକ୍ତ ଏକ ବିଚାରଧାରା ମନୁଷ୍ୟକୁ ଶାନ୍ତି ଦେଇପାରେ ଓ ଅନ୍ୟମାନଙ୍କ ସହ ସନ୍ତୁଳନ ରକ୍ଷା କରି ଜୀବନ କାଟିବାକୁ ସାହାଯ୍ୟ କରିଥାଏ ବୋଲି ୫ମ ଭର୍ଚୁଆଲ୍ ସୋଆ ପାକ୍ଷିକ ବକ୍ତୃତା ପ୍ରଦାନ କରି ଶ୍ରୀ ରାଜଶେଖର କହିଛନ୍ତି । ରୋଟି କପଡା ଓ ମକାନ ପରି ମୌଳିକ ଆବଶ୍ୟକତା ପୂରଣ ହୋଇ ନ ପାରିଲେ ସୁଖୀ ଜୀବନ ବିଷୟରେ ଯେ କୌଣସି ଆଲୋଚନା ମୂଲ୍ୟହୀନ ହୋଇ ପଡ଼ିବ। ମାତ୍ର ଏହି ମୌଳିକ ଆବଶ୍ୟକତା ପୂରଣ ହେବା ପରେ ମନୁଷ୍ୟ ନିଜର ବୃତିରେ ସଫଳତା ନିମନ୍ତେ ଚେଷ୍ଟା କରେ ଓ ନିଜର କାର୍ଯ୍ୟ ଦ୍ୱାରା ସିଦ୍ଧିଲାଭ କରିବାକୁ ଉଦ୍ୟମ ଜାରି ରଖେ। ଅତୀତରେ ଟୋକିଓ ଠାରେ ଭାରତୀୟ ଦୂତାବାସରେ କାର୍ଯ୍ୟ କରିବା ସମୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ରାଜଶେଖର କହିଲେ ଯେ, ୨ୟ ମହାଯୁଦ୍ଧ ସମୟରେ ଆଣବିକ ବୋମା ଦ୍ୱାରା ବିଧ୍ୱସ୍ତ ଜାପାନ ୨୦ ବର୍ଷରୁ କମ ସମୟରେ ଅଲିମ୍ପିକ ପ୍ରତିଯୋଗୀତା ଆୟୋଜନ କରିପାରିବା କିଛି କମ୍ କଥା ନୁହେଁ ।

ଜାପାନର ଅଧିବାସୀ ମାନଙ୍କର ନାଗରିକ ଦାୟିତ୍ୱବୋଧ ଓ ଦେଶପ୍ରତି କର୍ତ୍ତବ୍ୟର ଜ୍ଞାନ ଅତୁଳନୀୟ। ଜଣେ ଟାକ୍ସି ଚାଳକ ଥରେ ଜଣେ ବିଦେଶୀ ବ୍ୟକ୍ତିଙ୍କୁ ସେ ଯାଉଥିବା ସ୍ଥାନ ବିଷୟରେ ଜ୍ଞାନ ନଥିବାରୁ ବିନା ପାରିଶ୍ରାମିକରେ ଗନ୍ତବ୍ୟ ସ୍ଥଳରେ ପହଂଚାଇ ଥିଲେ କାରଣ ଜଣେ ବିଦେଶୀ ସମ୍ମୁଖରେ ନିଜ ଦେଶର ସଂସ୍କୃତିକୁ ଉପସ୍ଥାପନ କରିବା ତାଙ୍କର ନିଜର ଉପାର୍ଜନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମନେ କରିଥିଲେ। ମାନବ ସହ ଉତମ ବୁଝାମଣାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ରାଜଶେଖର ଠେକୁଆ ଓ କଇଁଛ ମଧ୍ୟରେ ହୋଇଥିବା ଦୌଡ଼ ପ୍ରତିଯୋଗୀତାର ଅବତାରଣା କରିଥିଲେ। ପ୍ରତିଯୋଗୀତା ଅପେକ୍ଷା ବୁଝାମଣା ଓ ପରସ୍ପରର ଭାର ବହନ କରିବା ଦ୍ୱାରା ଜୀବନର ଦୌଡକୁ ସମ୍ପୂର୍ଣ୍ଣ କରାଯାଇପାରିବ ବୋଲି ସେ ମତ ଦେଇଥିଲେ।

କ୍ୟୁବାରେ ଭାରତର ରାଷ୍ଟ୍ରଦୂତ ତଥା ଇଣ୍ଡିଆନ କାଉନସିଲ୍ ଫର କଲଚରାଲ ରିଲେସନ୍ସର ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରିଥିବା ଶ୍ରୀ ରାଜଶେଖର କହିଥିଲେ ଯେ ଜୀବନର ବିଭିନ୍ନ ମାର୍ଗରେ ସଫଳତା ହାସଲ କରିଥିବା ମନୁଷ୍ୟ ଆତ୍ମିକ ଜ୍ଞାନ ଲାଭ ନ କରିପାରିଲେ ଜୀବନରେ ଶୂନ୍ୟତା ଅନୁଭବ କରିବ। ଏହି ବକ୍ତୃତା ସୋଆ ଏନଏସଏସ ବ୍ୟୁରୋ ଓ ସୋଆ ୱେଲନେସ ସେଣ୍ଟର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସୋଆ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.