ପିପିଲି ଲାଇଭ୍: ନଥାମାନଙ୍କର କଥା କିଏ ବୁଝିବ?
ଆମ ସତସତିକା ପିପିଲିର ସାବି ଓ କାଳ୍ପନିକ ସିନେମା "ପିପ୍ଲି ଲାଇଭ୍"ର ନଥା ଚରିତ୍ର ଭିତରେ କେତେ ବା ପାର୍ଥକ୍ୟ!
![](https://www.odishalink.com/wp-content/uploads/2021/04/Pipili-byelection-750x430.jpg)
ଭୁବନେଶ୍ବର: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବେ ବୋଲି ସବୁଜ ପ୍ରତିଶ୍ରୁତି ଢାଳନ୍ତି ତ କେନ୍ଦ୍ରମନ୍ତ୍ରୀ ପରିବର୍ତ୍ତନର ଆହ୍ବାନ ଦେଇ ବିକାଶର ଗୈରିକ ସ୍ବପ୍ନ ନେଇ ଉଭା ହୁଅନ୍ତି। ଏମିତି ଗୋଟିଏ ପରେ ଗୋଟିଏ ନିର୍ବାଚନ ଆସେ ଆଉ ଯାଏ। କିନ୍ତୁ ସବୁଜ ସ୍ବପ୍ନ ଓ ଗୈରୀକ ସ୍ବପ୍ନ ଏକାକାର ହୋଇ ନୂଆ ରଙ୍ଗ ତୋଳେ ସିନା, ଜନଗଣଙ୍କର ଫିକା ଜୀବନ ସେମିତି କଳାଧଳା ହୋଇ ରହିଯାଏ।
ବହୁଚର୍ଚ୍ଚିତ ପିପ୍ଲି ଲାଇଭ୍ ସିନେମାର ନଥା ଚରିତ୍ର ପରି ସରକାର ଓ ପ୍ରଶାସନର ଦେଖାଣିଆ ଦୟାରେ ଜନତାର ହସହସ ମୁହଁ ଗଣମାଧ୍ୟମରେ ଦିଶିଯାଏ ସିନା, ଜୀବନଟିଏ ବଞ୍ଚିବାର କୌଣସି ବି କାରଣ ଖୋଜିପାଏନି ସେ। ତଳେ ଦିଆଯାଇଥିବା ଭିଡିଓରେ ସେମିତି ଜଣେ ଚରିତ୍ରଙ୍କୁ ଆମେ ଭେଟୁ ପିପିଲିରେ। କିଛି ମାସ ଆଗରୁ ବେଶ୍ ଚର୍ଚ୍ଚାକୁ ଆସିଥିବା ଏ ଗୃହହୀନ ମାଉସୀଙ୍କ ବିତସ୍ପୃହ ମନ୍ତବ୍ୟ ଆମ ବାହାଦୁରିଆ ରାଜନେତା, ପାରିବାର ପ୍ରଶାସନ ଓ ଆଶ୍ବାସନାର ଆଶାବାଡ଼ି ଧରାଉଥିବା ସରକାରଙ୍କ ଗାଲରେ ଏକ ଶବ୍ତ ଚାପୁଡ଼ା କହିଲେ ଅତ୍ୟୁକ୍ତି ହେବନାହିଁ।
ଏ ମହିଳା ଜଣକ ପିପିଲି ଏନ୍ଏସି ଅନ୍ତର୍ଗତ ପଦାସାହି ଶିକାରୀ ସାହିରେ ଅସ୍ଥାୟୀ ପଲିଥିନ ଛାତ ତଳେ ରହନ୍ତି। ତାଙ୍କ ନାମ ସାବି ଶିକାରୀ। ତାଙ୍କ ସାହିରେ ପ୍ରାୟ ୧୦ ମୁଣ୍ଡପୋତା ଶିକାରୀ ପରିବାର ରହନ୍ତି। କାହାର ବି ଭୂମି ନାହିଁ କି ରହିବାକୁ ଘର ନାହିଁ। ଅଥଚ ଦୀର୍ଘବର୍ଷ ଧରି ତାଙ୍କ ଭୋଟର ପରିଚୟ ପତ୍ର ରହିଛି ଓ ସେ ମତଦାନ କରିଆସୁଛନ୍ତି।
ଆମ ସତସତିକା ପିପିଲିର ସାବି ଓ କାଳ୍ପନିକ ସିନେମା “ପିପ୍ଲି ଲାଇଭ୍”ର ନଥା ଚରିତ୍ର ଭିତରେ କେତେ ବା ପାର୍ଥକ୍ୟ! ଏବେ ପୁଣି ନିର୍ବାଚନ ଦୁଆରମୁହଁରେ। ଆଉ ପୁଣି ପ୍ରତିଶ୍ରୁତି ଓ ସ୍ବପ୍ନର ମିଛ ଆବେଗ ସବୁ ଅଜାଡ଼ି ହୋଇପଡ଼ିବ ପିପିଲିର ଏହି ଅଖ୍ରାତ ଶିକାରୀ ସାହି ବସ୍ତିରେ।
ଶିକାରୀ ସାହି ବାସିନ୍ଦାଙ୍କ ଏ ଦୁରବସ୍ଥା ବାବଦରେ ସମାଜସେବୀ ଅଖଣ୍ଡ କହନ୍ତି,
ଏମାନେ ଗରିବ ହୋଇଥିବାରୁ ଏମାନଙ୍କର ସ୍ବର କ୍ଷୀଣ ହୋଇଯାଉଛି। ବିଭିନ୍ନ ନିର୍ବାଚନରେ ସେମାନେ ବାରମ୍ବାର ପ୍ରତିଶ୍ରୁତି ପାଇଛନ୍ତି, କିନ୍ତୁ ସେମାନଙ୍କ ସ୍ଥିତିରେ କୌଣସି ବି ପରିବର୍ତ୍ତନ ଆସିନାହିଁ। ପ୍ରଶାସନିକ ଅବହେଳା ଓ ରାଜନୈତିକ ଅନିଚ୍ଛାର ଏହା ଏକ ଜ୍ବଳନ୍ତ ନିଦର୍ଶନ।