ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ସ୍ୱାସ୍ଥ୍ୟ ସଚିବ: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ସ୍ଥିିତି ସଙ୍ଗୀନ ହେବାରେ ଲାଗିଛି। ଏଥିସହ ଟିକା ଅଭାବନେଇ ରାଜ୍ୟରେ ଶତାଧିକ ଟିକାକେନ୍ଦ୍ର ବନ୍ଦ ହେବାକୁ ବସିଲାଣି। ତେବେ ରାଜ୍ୟରେ ଟିକା ଅଭାବ ଅଭିଯୋଗ ନେଇ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତରେ ୧୧/୧୨ କୋଟି ଟିକା ମଧ୍ୟରୁ ଓଡ଼ିଶାକୁ ୪୫ ଲକ୍ଷ ଟିକା ଆସିଛି। ରାଜ୍ୟରେ ଟିକାର ଅଭାବ ବିବାଦ ଏଠିକାର ସ୍ୱାସ୍ଥ୍ୟ ସଚିବ ଆରମ୍ଭ କରିଛନ୍ତି। ମୋ ମତ ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଭାବୁନାହାନ୍ତି। ନିଜର ବାହାପିଆ ପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି। ଏଠିକାର ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି।
ମୁଁ ତାଙ୍କୁ ଶୁଭେଚ୍ଛା ଦେଉଛି। ଅନୁରୋଧ ଏପରି କ୍ରାଇସେସ ତିଆରି ନକରନ୍ତୁ। ଟିକା ଅଭାବ ହୋଇନି। ଶୀଘ୍ର ଆଉ ୨/୩ଟି ଟିକାକୁ ସରକାର ଅନୁମତି ଦେବେ। ଏହା ଦ୍ୱାରା ଟିକା ଅଧିକ ମାତ୍ରାରେ ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।