କଟକ: ଡାଳିଯୋଡ଼ା ଜଙ୍ଗଲରେ ମିଳିଲା ୮୦୦ ବର୍ଷର ପୁରୁଣା କୂଅ
ଆମ୍ବିଳିଝରି ଗ୍ରାମର ଜନସାଧାରଣ ଏହାକୁ ଭାଇବୋହୂ-ଦେଢ଼ଶୂର କୂଅ ବୋଲି ସମ୍ବୋଧନ କରୁଛନ୍ତି। ଏହାସହ ଏହି କୂଅର ଜଳକୁ ପହିଲି ଜରରୁ ମକ୍ତି ପାଇଁ ପାଦୁକା ଭଳି ବ୍ୟବହାର କରିଥା’ନ୍ତି।

କଟକ: କଟକ ଜିଲ୍ଲାର ଡାଳିଯୋଡ଼ା ଜଙ୍ଗଲରୁ ଏକ ପ୍ରାଚୀନ କୂଅର ସନ୍ଧାନ ମିଳିଛି। ଯାହାକୁ ନେଇ ସାରା ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା। ସନ୍ଧାନ ମିଳିଥିବା ପ୍ରାଚୀନ କୂଅଟି ଦ୍ବାଦଶ/ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ନେଇ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (ଇନ୍ଟାକ୍) ପକ୍ଷରୁ ଅନୁମାନ କରାଯାଇଛି।
ଏହି ପ୍ରାଚୀନ କୂଅଟିର ସନ୍ଧାନ ପ୍ରଥମେ ଡାଳିଯୋଡ଼ା ପ୍ରାସାଦରେ ରହୁଥିବା ପଞ୍ଚାକୋଟ ରାଜପରିବାରର ବର୍ତ୍ତମାନର ରାଜା ଦେବଜିତ୍ ସିଂହଦେଓ ପାଇଥିଲେ। ପରେ ସେ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ସେହି ସ୍ଥାନକୁ ସଫା କରି ଇନ୍ଟାକ୍କୁ ସୂଚନା ଦେଇଥିଲେ ବୋଲି ଇନ୍ଟାକ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏପରିକି ଆମ୍ବିଳିଝରି ଗ୍ରାମର ଜନସାଧାରଣ ଏହାକୁ ଭାଇବୋହୂ-ଦେଢ଼ଶୂର କୂଅ ବୋଲି ସମ୍ବୋଧନ କରୁଛନ୍ତି। ଏହାସହ ଏହି କୂଅର ଜଳକୁ ପହିଲି ଜରରୁ ମକ୍ତି ପାଇଁ ପାଦୁକା ଭଳି ବ୍ୟବହାର କରିଥା’ନ୍ତି।
ଇନ୍ଟାକ୍ର ମୁଖ୍ୟ ପ୍ରକଳ୍ପ ଅଧିକାରୀ ଅନିଲ୍ ଧୀର କହିଛନ୍ତି ଯେ, ସନ୍ଧାନ ମିଳିଥିବା କୂଅର ନିର୍ମାଣଶୈଳୀ କଳିଙ୍ଗ ଅଞ୍ଚଳରେ ମିଳୁଥିବା ପ୍ରାଚୀନ ମନ୍ଦିରମାନଙ୍କ ନିର୍ମାଣଶୈଳୀ ଭଳି ଅନନ୍ୟ। ସମ୍ଭବତଃ ଏହା କଳିଙ୍ଗ ଅଞ୍ଚଳରେ କଳା ଓ ସ୍ଥାପତ୍ୟ ବିକାଶ ସମୟରେ ନିର୍ମିତ ବୋଲି ଶ୍ରୀ ଧୀର କହିଛନ୍ତି।
ରାଜ୍ୟରେ ମିଳୁଥିବା ଅନ୍ୟ ପ୍ରାଚୀନ କୂଅମାନଙ୍କଠାରୁ ଏହା ଭିନ୍ନ। ଏହି ସ୍ଥାନରୁ ମିଳିଥିବା ଏକ ପୁରାତନ ପଥର ଖଣ୍ଡ ଓ ଖୋଦିତ ମାଟିପାତ୍ରରୁ ଅନୁମାନ କରାଯାଉଛି ଯେ ଏଠାରେ କୌଣସି ଏକ ପୁରାତନ ଧର୍ମବିଶ୍ବାସୀ ଜନବସତି ଗଢ଼ି ଉଠିଥିଲା। ଏହି ପ୍ରାଚୀନ କୂଅକୁ ଇନ୍ଟାକ୍ ପକ୍ଷରୁ ମହାନଦୀ ଭ୍ୟାଲି ହେରିଟେଜ୍ ସାଇଟ୍ ଡକୁମେଣ୍ଟେସନ୍ର ଏକ ଐତିହ୍ୟ ସ୍ମାରକୀ ରୂପେ ତାଲିକାଭୁକ୍ତ କରାଯିବ ବୋଲି ଶ୍ରୀ ଧୀର ସୂଚନା ଦେଇଛନ୍ତି।
ସେହିପରି ଇନ୍ଟାକ୍ର ପ୍ରକଳ୍ପ ସହାୟତା ଅଧିକାରୀ ଦୀପକ କୁମାର ନାୟକ କହିଛନ୍ତି ଯେ ଡାଳିଯୋଡ଼ା କୂଅଟି ବର୍ଗକ୍ଷେତ୍ର ଆକାରରେ ନିର୍ମିତ। କିନ୍ତୁ ଏହାର ଚାରିପାଖ ସହ ପାହାଚଗୁଡ଼ିକର ଆୟତ କ୍ଷେତ୍ର ଭଳି। ଏହା ଏକ ଉତ୍ତମ ଜଳଭଣ୍ଡାର ସଦୃଶ। ଏହି କୂଅର ନିମ୍ନ ଅଂଶ ବାଲି ପଥରରେ ନିର୍ମିତ ହୋଇଥିବା ବେଳେ ଏହାର ଉପରିଭାଗ ଲାଟେରାଇଟ୍ ପଥରରେ ନିର୍ମିତ ବୋଲି ସୂଚନା ଦେଇଛନ୍ତି।