ବାଲେଶ୍ବର ଝିଅ ନୟାଗଡ଼ରୁ ଉଦ୍ଧାର
ଟ୍ରକ କଣ୍ଟେନର ଭିତରେ ୨୦ ଦିନ ଏକାଧିକ ଥର ଦୁଷ୍କର୍ମ
ନୟାଗଡ଼: ମହିଳାଙ୍କୁ ଅପହରଣ ପରେ ଟ୍ରକ କଣ୍ଟେନର ଭିତରେ ରଖି ୨୦ ଦିନ ଏକାଧିକ ଥର ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ତଥା ଅମାନବୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ। ମହିଳା ଜଣଙ୍କ କୌଣସି ପ୍ରକାରରେ ଦୁର୍ବୃତ୍ତଙ୍କ କବଳରୁ ଖସିଆସି ବୁଧବାର ନୟାଗଡ଼ ଜିଲ୍ଲା ଫତେଗଡ ପୁଲିସ ପାଖରେ ପହଞ୍ଚିଛନ୍ତି। ମହିଳାଙ୍କ ଡାକ୍ତରୀ ମାଇନା ପରେ ମହିଳାଙ୍କୁ ଜଳେଶ୍ବର ପୁଲିସକୁ ହସ୍ତାନ୍ତର କରାଯାଇଛି।
ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ଥାନା ଝୁଲଡା ବଜାରରେ ରହୁଥିବା ଜଣେ ୨୬ ବର୍ଷୀୟ ମହିଳା ମାର୍ଚ୍ଚ ୨୪ ତାରିଖ ଅପରାହ୍ଣ ୨ ଟାରେ ବଜାରକୁ ଯିବା ସମୟରେ ତାଙ୍କୁ ଏକ ବୋଲେରୋ ଗାଡ଼ିରେ କେତେଜଣ ଦୁର୍ବୃତ୍ତ ଅପହରଣ କରିନେଥିଲେ। ଅପହରଣ ପରେ ତାଙ୍କୁ ଏକ କଣ୍ଟେନର ଟ୍ରକ୍ରେ ରଖି ଦୀର୍ଘ ୨୦ଦିନ ଧରି ଦୁଇଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ।
ଗତ ୧୩ ତାରିଖ ରାତିରେ ଟ୍ରକ୍ଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ରେଳଷ୍ଟେସନ ନିକଟେର ଥିବାବେଳ ଦୁର୍ବୃତ୍ତ ୨ଜଣ କଣ୍ଟେନର ତାଲାପକାଇବାକୁ ଭୁଲି ଯାଇଥିଲେ। ଏହାର ସୁଯୋଗ ନେଇ ମହିଳା ଜଣଙ୍କ ଖସି ଆସିଛନ୍ତି। ରାତିରେ ମହିଳା ଜଣଙ୍କ ସେଠାରୁ ଦୌଡ଼ି ଦୌଡ଼ି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ।
୧୪ତାରିଖ ସକାଳୁ ଜଗନ୍ନାଥ ପ୍ରସାଦ ଫାଣ୍ଡିରେ ପହଞ୍ଚି ଅଭିେଯାଗ କରିଥିଲେ। ଫତେଗଡ଼ ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଫାଣ୍ଡିରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ ଅଧିକ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନେ ଧରା ପଡ଼ିନାହାନ୍ତି।