Odisha Link
Bridging the Missing Links in Odisha

ଠକିଦେଲେ ଭକ୍ତ: ୨୨ କୋଟି ଟଙ୍କାର ୧୫ ହଜାର ଚେକ୍‌ ବାଉନ୍ସ

ଆକାଉଣ୍ଟ୍‌ରେ ଅର୍ଥ ନଥିବା କାରଣରୁ ଚେକ୍‌ ସବୁ ବାଉନ୍ସ ହୋଇଛି। ତେବେ କେତେକ କ୍ଷେତ୍ରରେ ଅନ୍ୟାନ୍ୟ ବୈଷୟିକ ତ୍ରୁଟି କାରଣରୁ ମଧ୍ୟ ଚେକ୍‌ ବାଉନ୍ସ ହୋଇଛି। ଫଳରେ ଟ୍ରଷ୍ଟ ୨୨ କୋଟି ଟଙ୍କା ହରାଇଛି।

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଅଭିଯାନ ବେଳେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଚେକ୍‌ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡ଼ିଛି। ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ୧୫ ହଜାରରୁ ଅଧିକ ଚେକ୍‌ ବାଉନ୍ସ ହୋଇଛି। ଏସବୁ ଚେକ୍‌ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ।

ରାମ ମନ୍ଦିର ନିର୍ମାଣ ଦାୟିତ୍ବ ନେଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଡିଟ୍‌ ରିପୋର୍ଟରୁ ଭକ୍ତମାନଙ୍କର ଏଭଳି ଠକେଇ ବାବଦରେ ଜଣାପଡ଼ିଛି। ଆକାଉଣ୍ଟ୍‌ରେ ଅର୍ଥ ନଥିବା କାରଣରୁ ଚେକ୍‌ ସବୁ ବାଉନ୍ସ ହୋଇଛି। ତେବେ କେତେକ କ୍ଷେତ୍ରରେ ଅନ୍ୟାନ୍ୟ ବୈଷୟିକ ତ୍ରୁଟି କାରଣରୁ ମଧ୍ୟ ଚେକ୍‌ ବାଉନ୍ସ ହୋଇଛି। ଫଳରେ ଟ୍ରଷ୍ଟ ୨୨ କୋଟି ଟଙ୍କା ହରାଇଛି।

ଟ୍ରଷ୍ଟୀ ସଦସ୍ୟ ଅନୀଲ ମିଶ୍ର ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,

ଯେଉଁ ଭକ୍ତମାନଙ୍କର ଚେକ୍‌ ବାଉନ୍ସ ହୋଇଛି ଆମେ ସେମାନଙ୍କୁ ପୁଣି ଥରେ ଦାନ ଦେବା ଲାଗି କହୁଛୁ। ୧୫ ହଜାର ଚେକ୍‌ ମଧ୍ୟରୁ ପ୍ରାୟ ୨ ହଜାର ଚେକ୍‌ ଅଯୋଧ୍ୟାରୁ ଆଦାୟ ହୋଇଥିଲା।

ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦ ତରଫରୁ ଚଳିତ ବର୍ଷ ଜାନୁଆରୀ ୧୫ରୁ ଫେବ୍ରୁଆରୀ ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ଦାନ ସଂଗ୍ରହ ଅଭିଯାନ କରାଯାଇଥିଲା। ଏଥିରେ ପ୍ରାୟ ୫,୦୦୦ କୋଟି ଟଙ୍କା ଆଦାୟ ହୋଇଥିବା ଅନୁମାନ କରାଯାଉଛି। ଅବଶ୍ୟ ଟ୍ରଷ୍ଟ ପକ୍ଷରୁ ଏଯାଏଁ ଚୂଡ଼ାନ୍ତ ଅଙ୍କ ଘୋଷଣା କରାଯାଇନାହିଁ।