ଦ୍ବନ୍ଦ୍ବରେ ରଖିଲେ ସରକାର!
ସଂଧ୍ୟା ୭ଟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୧୬ ଏପ୍ରିଲରୁ କର୍ଫ୍ୟୁ ବୋଲି ପୋଷ୍ଟ କରାଯାଇଥିବା ବେଳେ ଏହାର ଗୋଟିଏ ଘଣ୍ଟା ପରେ ୧୭ ଏପ୍ରିଲ ବୋଲି ଉଲ୍ଲେଖ କରାଯାଇଛି।

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସରକାର ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଥିବା ବେଳେ ଏହା କେବେଠାରୁ ଲାଗୁ ହେବ ସେ ନେଇ ଦ୍ବନ୍ଦ୍ବ ରହିଛି। ସରକାର ଭିନ୍ନ ଭିନ୍ନ ଅବସରରେ ଭିନ୍ନ ତାରିଖ ଉଲ୍ଲେଖ କରିଛନ୍ତି।
ଗତକାଲି ସଂଧ୍ୟାରେ ମୁଖ୍ୟ ସଚିବ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଥିଲେ। ଆଜି (ଏପ୍ରିଲ ୧୬, ଶୁକ୍ରବାର) ଠାରୁ ଏହା ଲାଗୁହେବ ବୋଲି ସେ କହିଥିଲେ। ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମଧ୍ୟ ନିଜର ସାମାଜିକ ଗଣମାଧ୍ୟମରେ ୧୬ ତାରିରୁ ନାଇଟ୍ କର୍ଫ୍ୟୁ ବୋଲି ସ୍ପଷ୍ଟ ଉଲ୍ଲେଖ କରିଥିଲେ।
ତେବେ ନାଇଟ୍ କର୍ଫ୍ୟୁ ନେଇ ସରକାର ପରେ ଯେଉଁ କୋଭିଡ୍ ନିର୍ଦ୍ଦେଶାବଳି ପ୍ରକାଶ କଲେ ସେଥିରେ ଭିନ୍ନ ତାରିଖ ରହିଛି। ୧୭ ଏପ୍ରିଲ, ଶନିବାର ସଂଧ୍ୟାରୁ ହିଁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁହେବ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଗତକାଲି ସଂଧ୍ୟା ୭ଟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୧୬ ଏପ୍ରିଲରୁ କର୍ଫ୍ୟୁ ବୋଲି ପୋଷ୍ଟ କରାଯାଇଥିବା ବେଳେ ଏହାର ଗୋଟିଏ ଘଣ୍ଟା ପରେ ଏହି ନିର୍ଦ୍ଦେଶାବଳିକୁ ସେୟାର କରାଯାଇଛି।
ନିର୍ଦ୍ଦେଶାବଳି ଅନୁଯାୟୀ ଏପ୍ରିଲ ୧୭ ତାରିଖ ଶନିବାର, ଅର୍ଥାତ୍ ଆସନ୍ତାକାଲି ଠାରୁ ହିଁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଛତିଶଗଡ଼ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ସଂଧ୍ୟା ୬ରୁ ସକାଳ ୧୦ ଯାଏଁ ଏହି କର୍ଫ୍ୟୁ ଲାଗୁ ହେବାକୁ ଥିବାବେଳେ ବାକି ୨୦ ଜିଲ୍ଳାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ଏହି କଟକଣା ରହିବ।
ନାଇଟ୍ କର୍ଫ୍ୟୁ ଅବସରରେ ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସମ୍ମିଳନୀ ସମ୍ପୂର୍ଣ୍ଣ ନିଷିଦ୍ଧ ଥିବାବେଳେ ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍ୟଷ୍ଟିରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ ବୋଲି ନିର୍ଦ୍ଦେଶାବଳିରେ ଉଲ୍ଲେଖ ରହିଛି।