ନାଲକୋକୁ ମିଳିଲା ଉତ୍କଳ-ଇ କୋଇଲା ଖଣି ଲିଜ
ଭୁବନେଶ୍ବର: ନାଲକୋକୁ ଉତ୍କଳ-ଇ କୋଇଲା ଖଣିର ଲିଜ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ଏ ନେଇ ଗତ ୧୨ ତାରିଖରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାୟ ୫୨୩.୭୬ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଏହି କୋଇଲା ବ୍ଲକ ଅନିଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଅବସ୍ଥିତ।
ଏହି କୋଇଲା ବ୍ଲକରେ ପ୍ରାୟ ୭୦ ନିୟୁତ ଟନ କୋଇଲା ଗଚ୍ଛିତ ଥିବା ଅନୁମାନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରୁ ବାର୍ଷିକ ୨ ନିୟୁତ ଟନ କୋଇଲା ଉତ୍ପାଦନ କରିହେବ। ଗତ ବର୍ଷ ଏପ୍ରିଲରେ ରାଜ୍ୟ ସରକାର ନାଲକୋକୁ ଉତ୍କଳ-ଡି କୋଇଲା ଖଣି ଲିଜ ପ୍ରଦାନ ଲାଗି ବିଜ୍ଞପ୍ତି ଜାରି କରିଥିଲେ।
ଏହି ଖଣି ମଧ୍ୟ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଅବସ୍ଥିତ। ସର୍ବମୋଟ ୧୦୧.୬୮ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ଏହି ଖଣିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଉଭୟ ଉତ୍କଳ ଡି ଓ ଇ କୋଇଲା ବ୍ଲକ ମିଳିବା ପରେ ନାଲକୋ ପାଖରେ ମୋଟ ୧୭୫ ନିୟୁତ ଟନର ଖନନ ଯୋଗ୍ୟ କୋଇଲା ଖଣି ଉପଲବ୍ଧ ହେବ । ଏହା ଦୀର୍ଘ ମିଆଦୀ ଭିତ୍ତିରେ ନାଲକୋର କୋଇଲା ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହେବ ।