ସୁସ୍ଥ ପରେ ରିମାଣ୍ଡରେ ଯିବ ହାଇଦର: ଡିସିପି

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା। ୭ ଦିନିଆ ରିମାଣ୍ଡରେ ଯିବା ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଛି ହାଇଦର। କରୋନାରୁ ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି କଟକ ଡିସିପି କହିଛନ୍ତି।
କଟକ ଡିସିପି କହିଛନ୍ତି ଯେ, ବର୍ତ୍ତମାନ ହାଇଦର ଚୌଦ୍ୱାର ଜେଲ ଆଇସୋଲେସନ ୱାର୍ଡରେ ରହିଛି। ଜେଲ କର୍ତ୍ତୃପକ୍ଷ ଚାହିଁଲେ ହାଇଦରକୁ ହସ୍ପିଟାଲ ପଠାଇ ପାରିବେ। ଜେଲ କର୍ତ୍ତୃପକ୍ଷ ସେହି ନିଷ୍ପତ୍ତି ନେଇପାରିବେ। ହାଇଦର ସୁସ୍ଥ ହେବା ପରେ ପୁଣି ଥରେ ରିମାଣ୍ଡ ଆବେଦନ କରିବୁ।
ସୂଚନାଯୋଗ୍ୟ, ହାଇଦର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତା’ର ରିମାଣ୍ଡକୁ ସ୍ଥଗିତ କରାଯାଇଛି। ହାଇଦରକୁ ଏବେ ଜେଲରେ ୭ ଦିନ ଆଇସୋଲେଶନରେ ରଖାଯାଇଛି। ୭ ଦିନର ଅବଧି ସରିବା ପରେ ହାଇଦରର ଆରଟିପିସିଆର ଟେଷ୍ଟ କରାଯିବ। ଏହାପରେ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ। ଏଥିସହ ହାଇଦରକୁ ଧରିବାରେ ସାହାଯ୍ୟ କରିଥିବା ପୋଲିସ ଟିମକୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି।
ଗତ ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲରୁ ପୁଲିସକୁ ଚକମା ଦେଇ ହାଇଦର୍ ଫେରାର ହୋଇଥିଲା। ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ। କାଲି ହାଇଦରକୁ ସ୍ବତନ୍ତ୍ର ବିମାନ ଯୋଗେ ଓଡ଼ିଶା ଅଣାଯାଇଥିଲା।