ଅମାନିଆଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ: ସିପି
![](https://www.odishalink.com/wp-content/uploads/2021/04/police-commissioner.jpg)
ଭୁବନେଶ୍ବର: ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅମାନିଆଙ୍କୁ ସାବାଡ଼ କରିବାକୁ ଟୁଇନ ସିଟିରେ ପଇଁତରା ମାରିବ ପୋଲିସ। ଆଜି ନାଇଟ୍ କର୍ଫ୍ୟୁ ସମ୍ବନ୍ଧରେ ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ ।
ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଆଜି ରାତି ୯ଟାରୁ କର୍ଫ୍ୟୁ ଲାଗିବ। ତେବେ ନାଇଟ୍ କର୍ଫ୍ୟୁକୁ ସମସ୍ତ ଜନସାଧାରଣ ପାଳନ କରନ୍ତୁ ବୋଲି ପୋଲିସ କମିଶନର ଅନୁରୋଧ କରିଛନ୍ତି। ନାଇଟ୍ କର୍ଫ୍ୟୁ ପାଇଁ କମିଶନରେଟ୍ ପୋଲିସର ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ହେବେ।
ଏହା ସହିତ ସହିତ ୬୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ନାଇଟ୍ କର୍ଫ୍ୟୁ କଟକଣାକୁ ତଦାରଖ କରିବେ। ଯଦି କୌଣସି ବ୍ୟକ୍ତି ନିୟମ ଭାଙ୍ଗିଲେ ତେବେ ତାଙ୍କ ବିରୋଧରେ ପୋଲିସ କଡା ପଦକ୍ଷେପ ଗ୍ରହଣ କରିବ ବୋଲି ପୋଲିସ ସିପି କହିଛନ୍ତି।
ସେପଟେ ସରକାରଙ୍କ ନିୟମ ମୁତାବକ, ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷମାନେ ସେମାନଙ୍କର ପରିଚୟ ଦେଖାଇ ଯା’ଆସ କରିପାରିବେ। କର୍ଫ୍ୟୁ ପାଇଁ କୌଣସି ନିଦ୍ଧିଷ୍ଟ ପାସ୍ ଦେଖାଇବାକୁ ପଡିବନି। କର୍ଫ୍ୟୁ ସମୟରେ କମିଶନରେଟ୍ ପୋଲିସର ୩୫ଟି ପାଟ୍ରୋଲିଂ ଗାଡି, ୧୫ ସୁପରଭାଇଜିଂ ଟିମ୍ ରାତି ତମାମ ଚକ୍କର କାଟିବ ବୋଲି ପୋଲିସ କମିଶନର କହିଛନ୍ତି।