ଶାଳୀକୁ ବିବାହ ପାଇଁ ଭିଣୋଇର ଜିଦ୍, ନାବାଳିକା ପିଇଲା ବିଷ

ବୌଦ୍ଧ: ଶାଳୀକୁ ବିବାହ ପାଇଁ ଭିଣୋଇର ଜିଦ୍। ଆତ୍ମସମ୍ମାନ ଓ ଲୋକଲଜ୍ଜାରେ ବିଷ ପିଇଲା ଶାଳୀ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ପଞ୍ଚାୟତ ଚୌରିଆପଦର ଗାଁରେ। ବିବାହର ୪ ବର୍ଷ ପରେ ଅଧିକ ଯୌତୁକ ଦାବିରେ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ନାବାଳିକା ଶାଳୀକୁ ବିବାହ ପାଇଁ ଜିଦ୍ ଧରିଛନ୍ତି ଭିଣୋଇ। କେବଳ ସେତିକି ନୁହେଁ ଶାଶୁ, ଶ୍ବଶୁରଙ୍କୁ ମାଡ ମାରି ନାବାଳକ ଶଳାକୁ ଅପହରଣ କରିବାକୁ ବି ପଛାଇନାହାନ୍ତି ଭିଣୋଇ।
ସୂଚନା ମୁତାବକ, ରାଜେଶ ସାହୁ ୪ ବର୍ଷ ତଳେ ମନମୁଣ୍ଡା ଥାନା ଚୌରିଆପଦରର ଶ୍ୟାମସୁନ୍ଦର ସାହୁଙ୍କ ଝିଅ ଦୀପାଳିଙ୍କୁ ବାହା ହୋଇଥିଲଲେ। ତାଙ୍କ ୨ଟି ପୁଅ ମଧ୍ୟ ଅଛନ୍ତି। ବିବାହ ବେଳେ ଦୀପାଳିଙ୍କ ପରିବାର ଦାବି ମୁତାବକ ଯୌତୁକ ବି ଦେଇଥିଲେ। କିନ୍ତୁ ରାଜେଶ ଅଧିକ ଯୌତୁକ ଓ ନଗଦ ୧ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହି ଦୀପାଳିଙ୍କୁ ନିର୍ଯାତନା ଦେଇ ଆସୁଥିଲା। ପରେ ରାଜେଶ ୧୪ ବର୍ଷର ନାବାଳିକା ଶାଳୀଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ।
ସ୍ତ୍ରୀ ଏହି କଥାରେ ପ୍ରତିବାଦ କରିବାରୁ ଶାଳୀଙ୍କୁ ସ୍କୁଲ ଗଲାବେଳେ ଅପହରଣ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ରାଜେଶ। ଏଥିସହ ଶାଳୀକୁ ବିବାହ କରିବାକୁ ଶାଶୁ ଓ ଶ୍ବଶୁରଙ୍କୁ ମଧ୍ୟ କହିଥିଲେ। ମାତ୍ର ସେମାନେ ଏଥିରେ ଶାଶୁ ଓ ଶ୍ବଶୁର ରାଜି ନହେବାରୁ ଶାଳୀକୁ ଅପହରଣ କରିବାକୁ ଧମକ ଦେଇଥିଲା ରାଜେଶ। ଏଭଳି ପରିସ୍ଥିତିରେ ଲୋକଲଜ୍ଜା ଭୟରେ ନାବାଳିକା ଜଣଙ୍କ ଗତ ୧୦ ତାରିଖରେ ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।
ଏହାପରେ ରାଜେଶ ଗତ ୧୪ ତାରିଖ ସ୍ତ୍ରୀ ଓ ସାନ ପୁଅକୁ ଶ୍ବଶୁର ଘରେ ଛାଡ଼ି ଦେଇଥିଲେ । ସେହି ଦିନ ଅପରାହ୍ନରେ ୩ ଜଣଙ୍କ ସହ ୨ଟି ବାଇକରେ ଆସି ଶାଳୀକୁ ବାହା ନ ଦେଲେ ନାବାଳକ ଶଳାକୁ ମାରିଦେବ ବୋଲି କହି ବାଇକ୍ରେ ବସାଇ ଅପହରଣ କରି ନେଇଯାଉଥିଲେ। ନାବାଳକର କାକା ଗ୍ରାମବାସୀଙ୍କ ସହାୟତାରେ ସହ ସେମାନଙ୍କଠାରୁ ନାବାଳକକୁ ଉଦ୍ଧାର କରିଥିଲେ। ଏ ନେଇ ମନମୁଣ୍ଡା ଥାନାରେ ମାମଲା ରୁଜୁ କରାଯାଇଛି। ଏତଲା ଆଧାରରେ ଜ୍ବାଇଁ ସହ ୩ ସାଙ୍ଗକୁ ପୋଲିସ ଗିରଫ କରିଛି।