ଅକ୍ସିଜେନ୍ ଅଭାବରୁ ଚାଲିଗଲା ୬ ଜଣଙ୍କ ଜୀବନ
କେନ୍ଦ୍ର ସରକାର ବିଦେଶରୁ ୫୦ ହଜାର ଟନ୍ ଅକ୍ସିଜେନ୍ ଆମଦାନୀ ପାଇଁ ଯୋଜନା କରିଛନ୍ତି।

ଭୋପାଳ: ଗୋଟିଏ ପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସୁଛି। କୋଉ ଡାକ୍ତରଖାନାରେ ବେଡ ନାଇଁତ ଆଉ କେଉଁ ଡାକ୍ତରଖାନାରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି। ଯାହାରି ଫଳରେ ଲୋକଙ୍କର ଜୀବନ ଚାଲି ଯାଉଥିବାର ଖବର ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶର ଶାହାଡୋଲ ମେଡିକାଲ କଲେଜରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା। ଏହି ମେଡିକାଲରେ ଅନେକ କରୋନା ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ସେମାନଙ୍କ ପାଇଁ ସେଠାରେ ଆବଶ୍ୟକୀୟ ଅକ୍ସିଜେନ ନଥିଲା। ଫଳରେ ଶନିବାର ବିଳମ୍ବିତ ରାତ୍ରରେ ୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି।
ମେଡିକାଲ କଲେଜର ଡିନ୍ ଡ. ମିଲିନ୍ଦ ଶିରାଲକର କହିଛନ୍ତି ଯେ, ଅକ୍ସିଜେନ୍ ଅଭାବରୁ ୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏବେ ହସ୍ପିଟାଲରେ କେବଳ ଅତି ଗୁରୁତର ରୋଗୀଙ୍କୁ ଅମ୍ଳଜାନ ଦିଆଯାଉଛି।
ସୂଚନାଥାଉକି, କେନ୍ଦ୍ର ସରକାର ବିଦେଶରୁ ୫୦ ହଜାର ଟନ୍ ଅକ୍ସିଜେନ ଆମଦାନୀ ପାଇଁ ଯୋଜନା କରିଛନ୍ତି। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଖବର ସାମ୍ନାକୁ ଆସିଛି।